ଟ୍ରାଫିକ ସମନ୍ବୟ ବୈଠକ: ଜାତୀୟ ରାଜପଥରେ ଲେନ୍‌ ବ୍ୟବସ୍ଥା ହେବ

ଭୁବନେଶ୍ୱର, ୭ା୯(ବ୍ୟୁରୋ): ରାସ୍ତା ସମସ୍ୟା ଓ ଟ୍ରାଫିକ୍‌ ବ୍ୟବସ୍ଥା ସୁଧାରିବା ନିମନ୍ତେ ଶୁକ୍ରବାର ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ସିପି ମୁଖ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟତଃ ଜାତୀୟ ରାଜପଥରେ ଟ୍ରାଫିକ ବ୍ୟବସ୍ଥା ସୁଧାରିବା ନେଇ ଆଲୋଚନା କରାଯାଇଥିଲା। ଜାତୀୟ ରାଜପଥରେ ବାଇକ ଚାଳକ ଓ କାର୍‌ ଚାଳକଙ୍କ ପାଇଁ ଲେନ୍‌ ବ୍ୟବସ୍ଥା କରାଯାଇ ସୂଚନା ଫଳକ ଲଗାଯିବାକୁ ବୈଠକରେ ଆଲୋଚନା ହୋଇଛି। ଏହାସହ ରସୁଲଗଡ ରାସ୍ତାର ଅନେକ ସ୍ଥାନରେ ଖାଲଖମା ରହିଛି। ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ଅସନ୍ତୋଷ ଲାଗିରହିଛି। ତେଣୁ ରସୁଲଗଡ଼ ଏବଂ ମଧୁପାଟଣା ରାସ୍ତାର ମରାପତି ପାଇଁ ଏନ୍‌ଏଚ୍‌ଏଆଇ କର୍ତ୍ତୃପକ୍ଷଙ୍କୁ ପ୍ରସ୍ତାବ ଦିଆଯାଇଛି। ଏହି ରାସ୍ତାକୁ ତୁରନ୍ତ ମରାମତି କରିବା ପାଇଁ କମିଶନରେଟ ପୋଲିସ ପକ୍ଷରୁ କୁହାଯାଇଛି। ସେହିପରି ରାଜଧାନୀ ରାସ୍ତାରେ ପାର୍କିଂ ଓ ଅଣ ପାର୍କିଂ ସୂଚନା ଫଳକ ଲଗାଇବା ଓ ରାସ୍ତା ଚିହ୍ନଟ କରିବା ପାଇଁ ପୂର୍ତ୍ତ ବିଭାଗକୁ କମିଶନରେଟ ପୋଲିସ ଅନୁରୋଧ କରିଛି। ରାଜମହଲ ଛକ ଓ ଏଜି ଛକ ମଧ୍ୟରେ ରାସ୍ତାକୁ ଅବରୋଧମୁକ୍ତ କରାଯିବା, ରାସ୍ତା ଉପରୁ ଉଠାଦୋକାନୀଙ୍କୁ ଉଚ୍ଛେଦ କରାଯିବା ନେଇ ଆଲୋଚନା ହୋଇଥିଲା। ଅନେକ ଟ୍ରାଫିକ ଛକରେ ଜେବ୍ରା କ୍ରସିଂଗୁଡିକ ଠିକ୍‌ ରୂପେ ଦେଖାଯାଉ ନ ଥିବା ବେଳେ ଅନେକ ସ୍ଥାନରେ ଦୁଇଟି ଜେବ୍ରା କ୍ରସିଂ ରହିଛି। ଯାହାକୁ ନେଇ ଗାଡି ଚାଳକ ଦ୍ୱନ୍ଦ୍ୱରେ ପଡୁଛନ୍ତି। ଏହି ଜେବ୍ରା କ୍ରସିଂ ତୁରନ୍ତ ନୂଆ କରିବାକୁ ବୈଠକରେ ନିଷ୍ପତ୍ତି ହୋଇଛି। ଏ ସଂକ୍ରାନ୍ତ କାର୍ଯ୍ୟକ୍ରମକୁ ସୁବ୍ୟବସ୍ଥିତ କରିବା ପାଇଁ ପ୍ରତ୍ୟେକ ମାସର ପ୍ରଥମ ସପ୍ତାହରେ ବୈଠକ କରାଯିବାକୁ ନିଷ୍ପତ୍ତି ହୋଇଛି।
ଏହି ବୈଠକରେ ଅତିରିକ୍ତ ପୋଲିସ କମିଶନର ସଞ୍ଜୟ ସିଂ, ଡିସିପି ଅନୁପ କୁମାର ସାହୁ, ଟ୍ରାଫିକ୍‌ ଡିସିପି ସାଗରିକା ନାଥ, ଅତିରିକ୍ତ ଟ୍ରାଫିକ ଡିସିପି ଅମରେଶ ପଣ୍ଡା, ଏଡିଏମ୍‌ ଅରୁଣ କୁମାର ବେହେରା, ଏନ୍‌ଏଚ୍‌ଏଆଇ ପିଡି ଦେବପ୍ରସାଦ ସାହୁ, ଆରଟିଓ-୧ ପ୍ରଦୀପ କୁମାର ମହାନ୍ତି, ଆରଟିଓ-୨ ସଞ୍ଜୟ ବେହେରା, କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ସୂର୍ଯ୍ୟନାରାୟଣ ମିଶ୍ର, କାର୍ଯ୍ୟନିର୍ବାହୀ ଯନ୍ତ୍ରୀ-୨ ଜଗବନ୍ଧୁ ରାଓ ପ୍ରମୁଖ ଉପସ୍ଥିତ ଥିଲେ।