ଓ୍ବାଶିଂଟନ,୩-୮: ଚାଇନାରୁ ଆସୁଥିବା ଅତିରିକ୍ତ ୩୦୦ ବିଲିୟନ ଡଲାର(୨୧ ଲକ୍ଷ କୋଟି ଟଙ୍କା) ସାମଗ୍ରୀ ଉପରେ ଆମେରିକା ସେପ୍ଟେମ୍ବର ପହିଲାରୁ ୧୦ ପ୍ରତିଶତ ଚାର୍ଜ(ଇମ୍ପୋର୍ଟ ଟାରିଫ) ଆଦାୟ କରିବ ବୋଲି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗୁରୁବାର ଘୋଷଣା କରିଛନ୍ତି। ଫଳରେ ଆମେରିକା ଓ ଚାଇନା ମଧ୍ୟରେ ଟ୍ରେଡ୍ ଓ୍ବାର୍ ଆହୁରି ଘନୀଭୁତ ହେବ ବୋଲି ଆଶାକରାଯାଉଛି। ଚାଇନା ରାଷ୍ଟ୍ରପତି ଜି.ଜିନପିଙ୍ଗ ଯଥାଶୀଘ୍ର ବାଣିଜ୍ୟ ଚୁକ୍ତି ପାଇଁ ରାଜି ନ ହେଲେ ଆମେରିକା ଆହୁରି ଟାରିଫ ବୃଦ୍ଧି କରିବ ବୋଲି ଟ୍ରମ୍ପ ଧମକ ଦେଇଛନ୍ତି। ଏହି ଖବର ପ୍ରଚାରିତ ହେବା ମାତ୍ରେ ବିଶ୍ୱ ଷ୍ଟକ୍ ବଜାର ଏବଂ ଅନ୍ତର୍ଜାତୀୟ ତୈଳ ବଜାରରେ ହ୍ରାସ ପରିଲକ୍ଷିତ ହୋଇଛି। ଟ୍ରମ୍ପଙ୍କ ଘୋଷଣା ପରେ ଚାଇନାରୁ ଆସୁଥିବା ପ୍ରାୟ ସମସ୍ତ ସାମଗ୍ରୀ ଉପରେ ଆମେରିକା ଟାରିଫ ବୃଦ୍ଧି କରିଛି। ଟ୍ରେଡ୍ ଓ୍ବାର୍କୁ ଶେଷ କରିବା ଲକ୍ଷ୍ୟରେ ଦୁଇ ଦେଶ ମଧ୍ୟରେ ଆରମ୍ଭ ହୋଇଥିବା ଆଲୋଚନା ବିଫଳ ହେବାର ଯଥେଷ୍ଟ ସମ୍ଭାବନା ଦେଖାଦେଇଛି। ରେଟିଂ ଏଜେନ୍ସି ମୁଡିଜ୍ ପକ୍ଷରୁ କୁହାଯାଇଛି ଯେ, ଟ୍ରମ୍ପଙ୍କ ସଦ୍ୟତମ ଘୋଷଣା ଦ୍ୱାରା ବିଶ୍ୱ ଅର୍ଥନୀତି ଉପରେ ଗଭୀର ପ୍ରଭାବ ପଡିବାକୁ ଯାଉଛି।