ଟ୍ରେଡ୍‌ ଲାଇସେନ୍‌ସ ପାଇଁ ବିଏମ୍‌ସିର ଚଢ଼ାଉ: ୧.୨୨ଲକ୍ଷ ଟଙ୍କା ଜରିମାନା ଆଦାୟ

ଭୁବନେଶ୍ୱର, ୨୯।୨ (ବ୍ୟୁରୋ): ରାଜସ୍ବ ଆଦାୟର ସମସ୍ତ ଦିଗ ପ୍ରତି ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) କଡ଼ା ନଜର ରଖିଛି। ଏବେ ଟ୍ରେଡ଼୍‌ ଲାଇସେନ୍ସ ଜନିତ ରାଜସ୍ବକୁ ଗୁରୁତ୍ୱ ଦିଆଯାଇଛି। ଗତ ତିନି ଦିନ ଧରି ବିଏମ୍‌ସି ପକ୍ଷରୁ ଉତ୍ତର ଜୋନ୍‌ରେ ଟ୍ରେଡ଼୍‌ ଲାଇସେନ୍ସ ଜନିତ ତନାଘନା ଜାରି ରହିଛି। ଜୋନାଲ୍‌ ଡ଼େପୁଟି କମିଶନର ପ୍ରମୋଦ କୁମାର ପୃଷ୍ଟିଙ୍କ ସଂଯୋଜନାରେ ଏକ ସ୍ବତନ୍ତ୍ର ସ୍କ୍ବାଡ୍‌ ଗଠନ କରାଯାଇଛି। ସ୍କ୍ବାଡ୍‌ ସଦସ୍ୟମାନେ ପ୍ରତ୍ୟେକ ବ୍ୟବସାୟ ପ୍ରତିଷ୍ଠାନ, ଦୋକାନ ଏବଂ ବୁଲା ବ୍ୟବସାୟୀଙ୍କ ପାଖକୁ ଯାଇ ସେମାନଙ୍କର ଟ୍ରେଡ଼୍‌ ଲାଇସେନ୍ସ ତଦାରଖ କରୁଛନ୍ତି। ଉତ୍ତର ଭୁବନେଶ୍ୱରର ଲକ୍ଷ୍ମୀବିହାରଠାରୁ ଆରମ୍ଭ ହୋଇ କଳିଙ୍ଗ ହସ୍ପିଟାଲ୍‌ ଛକ ପର୍ଯ୍ୟନ୍ତ କରାଯାଇଛି। ଜୋନାଲ୍‌ ଡ଼େପୁଟି କମିଶନର ପୃଷ୍ଟିଙ୍କ ତଥ୍ୟ ଅନୁଯାୟୀ, ଗତ ତିନି ଦିନରେ ଅନେକ ବ୍ୟବସାୟ ପ୍ରତିଷ୍ଠାନ ତଥା ଦୋକାନର ଟ୍ରେଡ଼୍‌ ଲାଇସେନ୍ସ ନ ଥିବା ସାମ୍ନାକୁ ଆସିଛି। ଅଦ୍ୟାବଧି ୫୮ ଜଣଙ୍କଠାରୁ ଟ୍ରେଡ଼୍‌ ଲାଇସେନ୍ସ ଏବଂ ଜରିମାନା ବାବଦରେ ୧.୨୨ଲକ୍ଷ ଟଙ୍କା ଆଦାୟ କରାଯାଇଛି। ଏହି ପରିଦର୍ଶନ ବେଳେ ବ୍ୟବସାୟ ଚାଲୁଥିବା ଘରଗୁଡ଼ିକର ଗୃହ ଟିକସ ଜମା କରାଯାଇଛି କି ନାହିଁ ତାହା ମଧ୍ୟ ତଦାରଖ କରାଯିବା ସହ ୪ଟି ଘରର ଟିକସ ଆଦାୟ କରାଯାଇଛି। ଉଲ୍ଲେଖଯୋଗ୍ୟ, ମ୍ୟୁନିସିପାଲ୍‌ କର୍ପୋରେସନ୍‌ ଆକ୍ଟ-୨୦୧୩ ଓ ଧାରା-୫୫୪ ଅନୁଯାୟୀ ସ୍ବାୟତ୍ତ ସଂସ୍ଥା ଭୂଖଣ୍ଡରେ ବ୍ୟବସାୟ କରୁଥିବା ପ୍ରତ୍ୟେକ ବ୍ୟବସାୟୀ ସମ୍ପୃକ୍ତ ବ୍ୟବସାୟର ପ୍ରକାର ଅନୁସାରେ ଟ୍ରେଡ୍‌ ଲାଇସେନ୍ସ ପାଇଁ ଆବେଦନ କରିପାରିବେ ବୋଲି ବିଏମ୍‌ସି ପକ୍ଷରୁ କୁହାଯାଇଛି।

Share