Categories: ବାଣିଜ୍ୟ

ଟ୍ରେଡ ଡିଲ୍‌ ଲାଗି ଆମେରିକା-ଚାଇନାର ସହମତି

ନୂଆଦିଲ୍ଲୀ,୧୪-୧୨: ପ୍ରଥମ ପର୍ଯ୍ୟାୟ ଟ୍ରେଡ ଡିଲ ଲାଗି ଆମେରିକା ଏବଂ ଚାଇନା ସହମତି ପ୍ରକାଶ କରିଛନ୍ତି। ଏହି ଚୁକ୍ତି ସମ୍ପାଦିତ ହେଲେ ଗତ ୧୭ ମାସ ଧରି ଦୁଇ ଦେଶ ମଧ୍ୟରେ ଲାଗି ରହିଥିବା ବାଣିଜ୍ୟ ଯୁଦ୍ଧର ଅନ୍ତ ହେବ ବୋଲି ବଜାର ବିଶେଷଜ୍ଞମାନେ କହିଛନ୍ତି। ଆମେରିକାର ଏକ ଗଣମାଧ୍ୟମ ରିପୋର୍ଟ ମୁତାବକ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହି ଚୁକ୍ତିରେ ସ୍ବାକ୍ଷର କରିଛନ୍ତି। ଡିଲ୍‌ ମୁତାବକ ଚଳିତ ମାସ ୧୫ରୁ ୧୬୦ ବିଲିୟନ ଡଲାର ମୂଲ୍ୟର ଚାଇନା ସାମଗ୍ରୀ ଉପରେ ଆମେରିକା ଲାଗୁ କରିବାକୁ ଥିବା ଟାରିଫ୍‌ କାର୍ଯ୍ୟକାରୀ ହେବ ନାହିଁ। ସେହିଭଳି ଚାଇନାରୁ ଆସୁଥିବା ସାମଗ୍ରୀ ଉପରେ ଲାଗୁ ହେଉଥିବା ଟାରିଫ ମଧ୍ୟ ୫୦% ହ୍ରାସ ହେବ। ଆସନ୍ତା ବର୍ଷ ଚାଇନା ଆମେରିକାଠାରୁ ୫୦ ବିଲିୟନ ଡଲାରର କୃଷିଜାତ ସାମଗ୍ରୀ ମଧ୍ୟ କ୍ରୟ କରିବା ନେଇ ସବୁଜ ସଙ୍କେତ ଦେଇଛି।
ଏହି ଚୁକ୍ତି ଦ୍ୱାରା ଆମେରିକାର କୃଷି ଉତ୍ପାଦ ସାମଗ୍ରୀ ରପ୍ତାନି ବଢିବ। ଟ୍ରେଡ ଓ୍ବାର ଯୋଗୁ ଚାଇନା ଆମେରିକାଠାରୁ ଏହି ସାମଗ୍ରୀ କିଣିବା ବନ୍ଦ କରି ଦେଇଥିଲା। ଫଳରେ ଆମେରିକା କୃଷିଜାତ ସାମଗ୍ରୀ ରପ୍ତାନି ୭୨% ହ୍ରାସ ଘଟିଥିଲା। ସେହିଭଳି ଟାରିଫ ଓ୍ବାର ଯୋଗୁ ଚାଇନାର ସେପ୍ଟେମ୍ବର ତ୍ରୈମାସ ଜିଡ଼ିପି ଅଭିବୃଦ୍ଧି ୨୭ ବର୍ଷର ସର୍ବନିମ୍ନ ସ୍ତର ୬%କୁ ଖସିଛି। ଚୁକ୍ତି ଦ୍ୱାରା ଆମେରିକା କମ୍ପାନୀଗୁଡିକ ପ୍ରତିମାସ ୨.୫ ବିଲିୟନ ଡଲାର ସଞ୍ଚୟ କରିପାରିବେ ବୋଲି ଆକଳନ କରାଯାଇଛି। ଏହି ଖବର ଆସିବା ଫଳରେ ଆମେରିକା ଏବଂ ଏସିଆର ବିଭିନ୍ନ ଦେଶର ଶେୟାର ବଜାର କାରବାର ଉନ୍ନତ ରହିଛି। ଟ୍ରେଡ ଡିଲ ନେଇ ଟ୍ରମ୍ପ ୨ ମାସ ଆଗରୁ ସଙ୍କେତ ଦେଇଥିଲେ ବୋଲି ଜଣାପଡିଛି।

Share