ଟ୍ରେନରୁ ଧରାପଡ଼ିଲେ ୨ ନାବାଳକ ଲୁଟେରା

ବାଲେଶ୍ୱର ଅଫିସ, ୧।୭-ଏକ ନାବାଳକ ଲୁଟେରା ଗ୍ୟାଙ୍ଗ ଦ୍ୱାରା ଚଳନ୍ତା ରେଳଗାଡ଼ିରୁ ମୋଇବାଲ ଫୋନ୍‌ ଚୋରି ଘଟଣା ପଦାକୁ ଆସିଛି। ଏହି ସୂଚନାକୁ ଆଧାର କରି ରେଲବାଇ ପୋଲିସ ତନାଘନା ଚଳାଇଛି। ଶନିବାର ରାତି ପ୍ରାୟ ଦେଢଟା ସମୟରେ ଅପ୍‌ ଲାଇନରେ ଯାଉଥିବା ଉତ୍କଳ ଏକ୍ସପ୍ରେସ୍‌ରେ ୨ନାବାଳକ ଚୋରଙ୍କୁ ଯାତ୍ରୀମାନେ ଧରି ଆର୍‌ପିଏଫ୍‌ ଜିମା ଦେଇଥିଲେ। ରବିବାର ରେଳବାଇ ପୋଲିସ ଚାଇଲ୍ଡ ହେଲ୍‌ପଲାଇନ୍‌ ସଂସ୍ଥା ଦ୍ୱାରା ଅଭିଯୁକ୍ତ ନାବାଳକ ଦ୍ୱୟଙ୍କୁ ପଚରାଉଚରା କରି ପରେ ବାଲେଶ୍ୱର ଶିଶୁ ମଙ୍ଗଳ କମିଟିକୁ ହସ୍ତାନ୍ତର କରିଛି।
ପୋଲିସ ସୂଚନା ଅନୁଯାୟୀ ଶନିବାର ରାତିରେ ଉତ୍କଳ ଏକ୍ସପ୍ରେସ୍‌ ଜଳେଶ୍ୱର ଅତିକ୍ରମ କରୁଥିବା ସମୟରେ ୩ଜଣ ନାବାଳକ ଯାତ୍ରୀଙ୍କ ଆସବାବପତ୍ର ସହ ମୋବାଇଲ୍‌ ଚୋରି କରିବା ଉଦ୍ୟମ କରିଥିଲେ । କେତେକ ଯାତ୍ରୀ ୨ଜଣଙ୍କୁ ଅଟକାଇ ପାରିଥିବାବେଳେ ଅନ୍ୟ ଜଣେ ଖସି ଯାଇଥିଲେ। ଏ ସମ୍ପର୍କରେ ଆର୍‌ପିଏଫକୁ ଖବର ଦେଇ ଯାତ୍ରୀମାନେ ଧରାପଡିଥିବା ଦୁଇ ନାବଳକଙ୍କୁ ପୋଲିସ ଜିମା ଦେଇଥିଲେ। ରବିବାର ଚାଇଲ୍ଡ ହେଲ୍ଫଲାଇନ୍‌ ଜିଲା ମୁଖ୍ୟ ପ୍ରଶାନ୍ତ ରାଉତ ଏବଂ ବାଲିଆପାଳ ବ୍ଲକ ସଦସ୍ୟ ଉତ୍ତମ କୁମାର ନାୟକଙ୍କ ଜରିଆରେ ପୋଲିସ ସେମାନଙ୍କ ପଚରାଉଚରା କରିବାରୁ ଏଥିରେ ଏକ ଗ୍ୟାଙ୍ଗର ସମ୍ପୃକ୍ତି ଥିବା ସୂଚନା ମିଳିଛି। ଧରାପଡିଥବବା ନାବାଳକ ଦ୍ୱୟଙ୍କ ମଧ୍ୟରୁ ଜଣେ ୧୦ ବର୍ଷର ନାବାଳକଙ୍କ ଘର ଝାଡ଼ଖଣ୍ଡ ରାଜ୍ୟର ବୋକାରୋ ଜିଲା ବାଲିଡ଼ିହା ଥାନା ଅଞ୍ଚଳ ଓ ଅନ୍ୟଜଣେ ୧୨ବର୍ଷର ନାବାଳକଙ୍କ ଘର ସେହି ଜିଲା ବାଙ୍କମୋଦା ଥାନା ଧାନବାଡ଼ ଅଞ୍ଚଳରେ ବୋଲି ଜଣାପଡିଛି। ସେମାନଙ୍କ ନିକଟରୁ ‘ଡେଣ୍ଡ୍ରାଇଡ୍‌’ ଅଠା ସହ କିଛି ଟଙ୍କା ମିଳିଥିବାର ଜଣାପଡ଼ିଛି। ସେମାନେ ଏହି ଅଠାକୁ ନିଶାଦ୍ରବ୍ୟ ଭାବେ ସେବନ କରି ଟ୍ରେନ୍‌ରେ ଯାତ୍ରୀଙ୍କ ଆସବାବପତ୍ର ସହ ବିଭିନ୍ନ ନାମୀଦାମୀ ଜିନିଷପତ୍ର, ମୋବାଇଲ୍‌, ମନିପର୍ସ ଇତ୍ୟାଦି ଚୋରି କରୁଥିଲେ। ଏହି ଦୁଇ ନାବାଳକଙ୍କୁ ବାଲେଶ୍ୱର ଜିଲା ଶିଶୁ ମଙ୍ଗଳ କମିଟିକୁ ଏହାର ଅଧ୍ୟକ୍ଷ ଭାଗିରଥି ବାରିକଙ୍କ ଉପସ୍ଥିତିରେ ହସ୍ତାନ୍ତର କରାଯାଇଥିବା ପୋଲିସ କହିଛି।