Categories: ଜାତୀୟ

ଟ୍ରେନରେ ବଢୁଛି ଯାତ୍ରୀଙ୍କ ସାମଗ୍ରୀ ଚୋରି ୧୦ ବର୍ଷରେ ୧.୭୧ ଲକ୍ଷ ମାମଲା ଦାଏର

ନୂଆଦିଲ୍ଲୀ,୨୯-୪: ଟ୍ରେନରେ ଯାତ୍ରୀଙ୍କ ସାମଗ୍ରୀ ଚୋରି ମାମଲା ଦିନକୁ ଦିନ ବଢ଼ିବାରେ ଲାଗିଛି। ଆର୍‌ପିଏଫ୍‌ ଓ ଜିଆର୍‌ପି ଥାଇ ମଧ୍ୟ ଚୋରି ସଂଖ୍ୟା ବଢ଼ିବା ଚିନ୍ତାର ବିଷୟ ହୋଇଛି। ରେଳ ମନ୍ତ୍ରଣାଳୟ ଦ୍ୱାରା ଜାରି ଆର୍‌ଟିଆଇ ତଥ୍ୟରୁ ଜଣାପଡିଛି ଯେ, ଗତ ୧୦ ବର୍ଷ ମଧ୍ୟରେ ଟ୍ରେନ ଯାତ୍ରୀମାନେ ସେମାନଙ୍କ ସାମଗ୍ରୀ ଚୋରି ହେବା ନେଇ ୧.୭୧ ଲକ୍ଷ ମାମଲା ଦାଏର କରିଛନ୍ତି। ରେଳଓ୍ବେର ସୁରକ୍ଷା ବ୍ୟବସ୍ଥା ଢ଼ିଲା ଥିବା ଉକ୍ତ ତଥ୍ୟ କହୁଛି। ମନ୍ତ୍ରଣାଳୟ ପକ୍ଷରୁ ଜାରି ତଥ୍ୟ ଅନୁଯାୟୀ, ଗତ ଏକ ଦଶନ୍ଧି ଭିତରେ ୨୦୧୮ରେ ସର୍ବାଧିକ ୩୬,୫୮୪ ଚୋରି ମାମଲା ଦାଏର ହୋଇଥିଲା। ୨୦୧୭ରେ ଏହା ୩୩,୦୪୪, ୨୦୧୬ରେ ୨୨,୧୦୬, ୨୦୧୫ରେ ୧୯,୨୧୫ ମାମଲା ଦାଏର କରାଯାଇଛି। ଏଭଳି ଭାବେ ୨୦୧୪ରେ ୧୪,୩୦୧, ୨୦୧୩ରେ ୧୨,୨୬୧, ୨୦୧୨ରେ ୯,୨୯୨, ୨୦୧୧ରେ ୯୬୫୩, ୨୦୧୦ରେ ୭୫୪୯ ଏବଂ ୨୦୦୯ରେ ୭୦୧୦ ମାମଲା ଦାଏର ହୋଇଥିଲା। ୨୦୦୯ରୁ ୨୦୧୮ ମଧ୍ୟରେ ଟ୍ରେନରେ ଚୋରି ମାମଲା ୫ଗୁଣା ବଢ଼ିଛି। ମୋଟ୍‌ରେ ଦେଖିଲେ ଏହି ଅବଧିରେ ୧,୭୧,୦୧୫ ଚୋରି ମାମଲା ଦାଏର ହୋଇଛି। ରେଳଯାତ୍ରୀମାନେ ବିଭିନ୍ନ ସମୟରେ ସୁରକ୍ଷାକୁ ନେଇ ସୋସିଆଲ ମିଡିଆରେ ପ୍ରଶ୍ନ କରୁଥିବା ବେଳେ ଏଥିପ୍ରତି ଦୃଷ୍ଟି ଦିଆଯାଉ ନ ଥିବାରୁ ଯାତ୍ରୀମାନଙ୍କ ମଧ୍ୟରେ ଅସନ୍ତୋଷ ବଢ଼ୁଛି।

Share