Categories: ବାଣିଜ୍ୟ

ଟ୍ରେନରେ ମସାଜ ପ୍ରସ୍ତାବ ପ୍ରତ୍ୟାହାର କଲା ରେଲଓ୍ବେ

ନୂଆଦିଲ୍ଲୀ,୧୬-୬: ଭାରତୀୟ ରେଲଓ୍ବେ ପକ୍ଷରୁ ଟ୍ରେନରେ ଯାତ୍ରୀଙ୍କୁ ମସାଜ ଦେବାର ବ୍ୟବସ୍ଥା କରାଯାଇଥିଲା। ତେବେ ଏହାକୁ ପଶ୍ଚିମ ରେଲଓ୍ବେ ପ୍ରତ୍ୟାହାର କରିନେଇଛି। ମଧ୍ୟପ୍ରଦେଶର ରାଜଧାନୀ ଇନ୍ଦୋରଠାରୁ ଚାଲିବାକୁ ଥିବା ୩୯ ଟ୍ରେନରେ ଏହି ବ୍ୟବସ୍ଥା ଆରମ୍ଭ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ରେଲଓ୍ବେର ଏହି ବ୍ୟବସ୍ଥାକୁ ସମାଜର ବିଭିନ୍ନ ବର୍ଗର ଲୋକେ ବିରୋଧ କରିବା ପରେ ରେଲଓ୍ବେ ଏହାକୁ ପ୍ରତ୍ୟାହାର କରିନେବାକୁ ବାଧ୍ୟ ହୋଇଛି। ଏହାକୁ ଲୋକ ସଭାର ପୂର୍ବତନ ବାଚସ୍ପତି ସୁମିତ୍ରା ମହାଜନ ବିରୋଧ କରିଛନ୍ତି। ରେଳମନ୍ତ୍ରୀ ପୀୟୂଷ ଗୋୟଲଙ୍କୁ ସେ ଏ ସମ୍ପର୍କରେ ପତ୍ର ଲେଖିଛନ୍ତି। ମହିଳା ଯାତ୍ରୀଙ୍କ ସମ୍ମୁଖରେ ଏଭଳି ସେବା ଯୋଗାଣ ଭାରତୀୟ ସଂସ୍କୃତିର ବିରୋଧାଚରଣ କରୁଛି ବୋଲି ସେ ତାଙ୍କ ପତ୍ରରେ ଦର୍ଶାଇଛନ୍ତି। ସୂଚନାଥାଉ କି, ଏଥିପୂର୍ବରୁ ଇନ୍ଦୋରର ଭାଜପା ସାଂସଦ ଶଙ୍କର ଲାଲବାନୀ ମଧ୍ୟ ଏହାକୁ ନେଇ ପ୍ରଶ୍ନ ଉଠାଇଥିଲେ। ରେଳଯାତ୍ରୀଙ୍କୁ ଜରୁରୀକାଳିନ ମେଡିକାଲ ସୁବିଧା ଏବଂ ଡାକ୍ତର ଉପଲବ୍ଧ କରାଯିବା ଉଚିତ୍‌ ବୋଲି ଲାଲବାନୀ କହିଥିଲେ। ଏଭଳି ନିମ୍ନସ୍ତରର ସେବା ଯୋଗାଇବାର କୌଣସି ଆବଶ୍ୟକତା ନାହିଁ ବୋଲି ସେ ଯୁକ୍ତି ଦର୍ଶାଇଥିଲେ। ଅନ୍ୟପକ୍ଷରେ ଲାଲବାନୀଙ୍କ ବକ୍ତବ୍ୟ ସହ ଏକମତ ହୋଇଥିବା ସୁମିତ୍ରା ତାଙ୍କ ପତ୍ରରେ ଦର୍ଶାଇଛନ୍ତି ଯେ, ଭବିଷ୍ୟତରେ ରେଳଯାତ୍ରୀଙ୍କୁ ଉତ୍କୃଷ୍ଟମାନର ସେବା ଯୋଗାଇବା ଉପରେ ରେଲଓ୍ବେ ଧ୍ୟାନ ଦେବା ଆବଶ୍ୟକ। ସୂଚନାଥାଉ କି, ରେଳଯାତ୍ରୀଙ୍କୁ ଏଭଳି ସୁବିଧା ଯୋଗାଇ ରେଲଓ୍ବେ ପ୍ରତିବର୍ଷ ପ୍ରାୟ ୨୦ ଲକ୍ଷ ଟଙ୍କାର ଅତିରିକ୍ତ ରାଜସ୍ବ ଆୟ କରିବାର ଲକ୍ଷ୍ୟ ଧାର୍ଯ୍ୟ କରିଛି। ଏଥିଯୋଗୁ ଅତିରିକ୍ତ ୯୦ ଲକ୍ଷ ଟିକେଟ ବିକ୍ରି ହେବ ବୋଲି ଅନୁମାନ କରାଯାଉଛି।

Share