Categories: ଖେଳ

ଟ୍ରେନିଂ ଆରମ୍ଭ କଲେ ଅଷ୍ଟ୍ରେଲିଆ କ୍ରିକେଟର

ସିଡ୍‌ନୀ, ୧।୬ (ପି.ଟି.): ସିଡ୍‌ନୀ ଅଲିମ୍ପିକ୍‌ ପାର୍କରେ ସୋମବାର ଆଗଧାଡିର କେତେକ ଅଷ୍ଟ୍ରେଲିଆ କ୍ରିକେଟର ଟ୍ରେନିଂ ଆରମ୍ଭ କରିଛନ୍ତି। ଏଥିରେ ଅଧିନାୟକ ଷ୍ଟିଭ୍‌ ସ୍ମିଥ୍‌ ସାମିଲ ରହିଛନ୍ତି। କୋଭିଡ୍‌-୧୯ ମହାମାରୀ ଜନିତ ଲକ୍‌ଡାଉନ୍‌ କାରଣରୁ ଗତ ଦୁଇମାସ ହେବ ଶାରୀରିକ ଓ ମାନସିକ ଫିଟ୍‌ନେସ ଉପରେ ଧ୍ୟାନ ଦେଇଛୁ। ଟ୍ରେନିଂ ଆରମ୍ଭ କରିବା ନେଇ ଆମେ ଏବେ ଉତ୍ସାହିତ ରହିଛୁ ବୋଲି ସ୍ମିଥ୍‌ କହିଛନ୍ତି। ଟ୍ରେନିଂରେ ତାରକା ଓପନର ଡେଭିଡ୍‌ ଓ୍ବାର୍ନର ଓ ଦ୍ରୁତ ବୋଲର ମିଚେଲ ଷ୍ଟାର୍କ ମଧ୍ୟ ସାମିଲ ହୋଇଛନ୍ତି। ରୁଦ୍ଧ ଦ୍ୱାରରେ ସେସନ ପୂର୍ବରୁ ଏହି ଟ୍ରେନିଂ ଆରମ୍ଭ ହୋଇଛି। ଉଲ୍ଲେଖଥାଉ କି, ଅଷ୍ଟ୍ରେଲିଆ କୋଭିଡ-୧୯ ମହାମାରୀରେ ଅଷ୍ଟ୍ରେଲିଆ ବିଶ୍ୱର ଅନ୍ୟ ଦେଶଗୁଡିକ ତୁଳନାରେ ସବୁଠାରୁ କମ୍‌ ପ୍ରଭାବିତ ହୋଇଛି। ଏହି ଦେଶରେ ମାତ୍ର ୭୦୦୦ ମାମଲା ରିପୋର୍ଟ ହୋଇଛି।
ଅଗଷ୍ଟ ୯ ତାରିଖରୁ ଅନ୍ତର୍ଜାତୀୟ କାର୍ଯ୍ୟସୂଚୀ ଆରମ୍ଭ କରିବାକୁ କ୍ରିକେଟ ଅଷ୍ଟ୍ରେଲିଆ ଗତ ସପ୍ତାହରେ ଘୋଷଣା କରିଥିଲା। ଗତ ଦୁଇମାସ ହେବ ବ୍ୟାଟ୍‌ ଛୁଇଁ ନାହିଁ। ତେବେ ମାନସିକ ଓ ଶାରୀରିକ ଭାବେ ସୁସ୍ଥ ରହିବାକୁ ପ୍ରୟାସ କରିଥିଲି ବୋଲି ସ୍ମିଥ୍‌ କହିଛନ୍ତି। ଇଂଲଣ୍ଡ କ୍ରିକେଟର ମାନେ ମଧ୍ୟ ଜୈବ ସୁରକ୍ଷିତ ବାତାବରଣରେ ଟ୍ରେନିଂ ଆରମ୍ଭ କରିଛନ୍ତି। ଶ୍ରୀଲଙ୍କା କ୍ରିକେଟରମାନେ ମଧ୍ୟ ସେମାନଙ୍କର ଟ୍ରେନିଂ ଜାରି ରଖିଛନ୍ତି। ମହାମାରୀ କାରଣରୁ ସାରା ବିଶ୍ୱରେ କ୍ରିକେଟ ଠପ୍‌ ହୋଇଛି। ଫଳରେ କ୍ରିକେଟ ଅଷ୍ଟ୍ରେଲିଆ ସାଂଘାତିକ ଭାବେ କ୍ଷତିଗ୍ରସ୍ତ ହୋଇଛି। ଟି୨୦ ବିଶ୍ୱକପ୍‌ ନେଇ ଅନିଶ୍ଚିତତା ଜାରି ରହିଛି। ଫଳରେ ଡିସେମ୍ବରରେ ଆରମ୍ଭ ହେବାକୁ ଥିବା ଭାରତ ବିପକ୍ଷ ଘରୋଇ ସିରିଜ ଉପରେ କ୍ରିକେଟ ଅଷ୍ଟ୍ରେଲିଆ ଅତ୍ୟଧିକ ଭାବେ ନିର୍ଭରଶୀଳ ହୋଇପଡିଛି।

Share