ଟ୍ରେନ୍‌ରୁ ଖସି ପଡ଼ି ସିନେ କଳାକାର ପ୍ରେମାନନ୍ଦ ବାରିକଙ୍କ ମୃତ୍ୟୁ

ଖୋର୍ଦ୍ଧା ଅଫିସ,୧୬।୧୧: ଖୋର୍ଦ୍ଧା ବ୍ଲକ ତାପଙ୍ଗ ଷ୍ଟେଶନର କିଛିଦୂରରେ ଚଳନ୍ତା ଟ୍ରେନରୁ ଖସି ପଡି ସିନେ କଳାକାର ପ୍ରେମାନନ୍ଦ ବାରିକ(୫୭)ଙ୍କ ଶନିବାର ମୃତ୍ୟୁ ଘଟିଛି। ମୃତଦେହକୁ ଜଟଣୀ ରେଲଓ୍ବେ ପୋଲିସ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ପ୍ରେମାନନ୍ଦଙ୍କ ଘର ଖୋର୍ଦ୍ଧା ପୌରପରିଷଦର ଗୁରୁଜଙ୍ଗ ନନ୍ଦସାହିରେ। ତେବେ ନିକଟସ୍ଥ ଜବରଦସ୍ତପୁରରେ ପରିବାର ସହ ସେ ରହୁଥିଲେ। ଖୋର୍ଦ୍ଧା ମୁଖ୍ୟ ଡାକଘରର ୪ର୍ଥ ଶ୍ରେଣୀ କର୍ମଚାରୀ ଭାବେ କାର୍ଯ୍ୟ କରୁଥିଲେ। ସେ ଏକାଧାରରେ ଜଣେ ସିନେ, ଟିଭି ଏବଂ ମଞ୍ଚ କଳାକାର। ତାଙ୍କ ନିର୍ଦ୍ଦେଶନାରେ ବହୁ ନାଟକ ରାଜ୍ୟର ବିଭିନ୍ନ ସ୍ଥାନରେ ମଞ୍ଚ ମଞ୍ଚସ୍ଥ ହୋଇଛି। ଜୀବନ ସଙ୍ଗୀତ ଟେଲି ସିନେମା ଓ ଜୋର ଯାର ମୁଲକ ତା’ର, ଆସୁଛି ମୋ କାଳିଆ ସୁନା, ପଞ୍ଜୁରୀ ଭିତରେ ଶାରୀ, ପୁଅ ମୋର କଳା ଠାକୁର ଆଦି ଓଡ଼ିଆ ଫିଲ୍ମରେ ସେ ଅଭିନୟ କରିଛନ୍ତି। ତାଙ୍କ ରଚିତ ଓ ନିର୍ଦ୍ଦେଶିତ ନାଟକ ଚଷମା ରାଜ୍ୟର ୧୫ ସହରରେ ପରିବେଷଣ ହୋଇଛି। ଲୋକ ଉତ୍ସବ, ଖୋର୍ଦ୍ଧା ମହୋତ୍ସବ, ନାଟକ ମହୋତ୍ସବ, ଭବାନୀ ୟଙ୍ଗ କ୍ଲବ, ନିତ୍ୟନୂତନ ନାଟ୍ୟ ସଂସଦ ସମେତ ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନର ସେ ସକ୍ରିୟ ସଭ୍ୟ ଥିଲେ। ତାଙ୍କର ବିୟୋଗରେ କଳା ଜଗତରେ ଅପୂରଣୀୟ କ୍ଷତି ଘଟିଲା ବୋଲି ବହୁ କଳାକାର ମତପ୍ରକାଶ କରିଛନ୍ତି।

Share