ଟ୍ରେନ୍‌ରେ କନ୍ୟାସନ୍ତାନ ଜନ୍ମ ଦେଲେ ପ୍ରବାସୀ ମହିଳା

ଟିଟିଲାଗଡ଼, ୨୪।୫(ଡି.ଏନ.ଏ.)-ପ୍ରବାସୀ ଶ୍ରମିକଙ୍କୁ ନେଇ ଆସିଥିବା ସ୍ବତନ୍ତ୍ର ଶ୍ରମିକ ଟ୍ରେନ୍‌ରେ ଯାତ୍ରା କରୁଥିବା ଜନୈକା ମହିଳା ବଗିରେ ରବିବାର ଏକ କନ୍ୟାସନ୍ତାନ ଜନ୍ମ ଦେଇଛନ୍ତି। ଟ୍ରେନ୍‌ ବଲାଙ୍ଗୀର ଜିଲା ଟିଟିଲାଗଡ଼ ରେଳଷ୍ଟେଶନରେ ପହଞ୍ଚିବା ବେଳେ ଏପରି ଘଟଣା ଘଟିଛି। ସକାଳେ ତାମିଲନାଡୁ ରାଜ୍ୟ କାଜିପେଟାରୁ ବଲାଙ୍ଗୀରକୁ ପ୍ରବାସୀ ଶ୍ରମିକଙ୍କୁ ନେଇ ଏକ ସ୍ବତନ୍ତ୍ର ଶ୍ରମିକ ଟ୍ରେନ୍‌ ରବିବାର ସକାଳେ ଟିଟିଲାଗଡ଼ ଷ୍ଟେଶନରେ ପହଞ୍ଚିବା ବେଳେ ଛତିଶଗଡ଼ ରାଜ୍ୟର ଜନୈକା ମହିଳା ଶ୍ରମିକଙ୍କ ପ୍ରସବ ଯନ୍ତ୍ରଣା ଆରମ୍ଭ ହୋଇଥିଲା। ଏନେଇ କୌଣସି ସ୍ବାସ୍ଥ୍ୟ ସେବା ଉପଲବ୍ଧ ନ ଥିଲା। ଶେଷରେ ଟ୍ରେନ୍‌ରେ ମହିଳା ଜଣକ ସନ୍ତାନ ପ୍ରସବ କରିଥିଲେ। ଘଟଣାସ୍ଥଳରେ ଆରପିଏଫ ପୋଷ୍ଟ କମାଣ୍ଡର ଏମ.ଏସ. କୁମାୱତ, ସବ୍‌ଇନ୍ସପେକ୍ଟର ଆର.ସି. ପାତ୍ର, ରେଢ଼ାଖୋଲ ସବ୍‌ଇନ୍ସପେକ୍ଟର ଅଜୟ ସ୍ବାଇଁ, ଷ୍ଟେଶନ ମାଷ୍ଟର ଏମ.କେ. ପାତ୍ର ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ତୁରନ୍ତ ଉକ୍ତ ବଗିରୁ ଅନ୍ୟ ଯାତ୍ରୀଙ୍କୁ ଅପସାରଣ ବ୍ୟବସ୍ଥା କରିଥିଲେ। ପ୍ରସବ ପରେ ମହିଳାଙ୍କୁ ଟ୍ରେନ୍‌ରୁ ଓହ୍ଲାଇ ଡାକ୍ତରଖାନା ପଠାଇଥିଲେ। ସ୍ଥାନୀୟ ରେଲଓ୍ବେ ଡାକ୍ତର ରଘୁନାଥ ପଣ୍ଡା ମା’ ଓ ଶିଶୁଙ୍କ ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ କରିଥିଲେ। ଦୀର୍ଘ ସମୟ ଛିଡା ହୋଇ ରହିଥିବା ଟ୍ରେନ୍‌ ପ୍ରାୟ ଦେଢ଼ଘଣ୍ଟା ବିଳମ୍ବ ପୂର୍ବାହ୍ନ ୧୧ଟା ୯ରେ ବଲାଙ୍ଗୀର ଅଭିମୁଖେ ଯାତ୍ରା କରିଥିଲା।

Share