ଟ୍ରେନ୍‌ରେ ଡକାୟତି ଯୋଜନା: ଗ୍ୟାଙ୍ଗର ୬ ଗିରଫ

ବ୍ରହ୍ମପୁର ଅଫିସ,୩ା୬ : ବ୍ରହ୍ମପୁର ରେଳବାଇ ପୋଲିସ ଶନିବାର ବିଳମ୍ବିତ ରାତିରେ ୪ ନମ୍ବର ପ୍ଲାଟଫର୍ମରୁ କୋଣାର୍କ ଏକ୍ସପ୍ରେସରେ ଡକାୟତି ଯୋଜନା କରୁଥିବା ଗ୍ୟାଙ୍ଗର ମାଷ୍ଟରମାଇଣ୍ଡଙ୍କ ସମେତ ୬ ଜଣଙ୍କୁ କାବୁ କରିଛି। ସେମାନଙ୍କ ମଧ୍ୟରେ ୫ ଜଣ ବିହାର ଅଞ୍ଚଳର ହୋଇଥିବା ବେଳେ ଅନ୍ୟ ଜଣେ ଖୋର୍ଦ୍ଧାର ବୋଲି ରେଳବାଇ ଥାନାଧିକାରୀ ସୁକାନ୍ତ ଭୋଇ ସୂଚନା ଦେଇଛନ୍ତି। ଗିରଫ ଅଭିଯୁକ୍ତମାନେ ହେଲେ ବିହାର ମୁଙ୍ଗେର ଜିଲାର ରାହୁଲ ମଣ୍ଡଳ (୨୫), ଛୋଟୁ ସାହା (୨୭), ମୁକେଶ ସାହା (୪୪), ଚିଣ୍ଟୁ କୁମାର (୨୨), ରବନ କୁମାର (୨୦) ଓ ଖୋର୍ଦ୍ଧାର ଅନାଥ ବେହେରା (୩୧) । ସେମାନଙ୍କଠାରୁ ୩ଟି ଛୁରି, ଗୋଟିଏ ଭୁଜାଲି, ୩୦ ହଜାର ୩୫୦ ଟଙ୍କା, ବ୍ରହ୍ମପୁରରୁ ଭୁବନେଶ୍ୱର ଯିବା ପାଇଁ ୬ ଟି ଟ୍ରେନ ଟିକେଟ ଓ ଲଙ୍କା ଗୁଣ୍ଡ ପୋଲିସ ଜବତ କରିଛି ।
ପ୍ରକାଶ ଯେ, ଶନିବାର ରାତି ପ୍ରାୟ ଗୋଟାଏ ବେଳେ ବ୍ରହ୍ମପୁର ରେଳ ଷ୍ଟେଶନ ୪ ନଂ. ପ୍ଲାଟଫର୍ମରେ କେତେକ ଦୁର୍ବୃତ୍ତ ଏକତ୍ରିିତ ହୋଇଥିବା ପୋଲିସ ଖବର ପାଇଥିଲା । ଥାନାଧିକାରୀ ଭୋଇଙ୍କ ନେତୃତ୍ୱରେ ଏକ ଟିମ୍‌ ସେଠାରେ ଚଢ଼ାଉ କରି ଉପରୋକ୍ତ ଡକାୟତ ଗ୍ୟାଙ୍ଗକୁ ଧରିଥିଲା । କୋଣାର୍କ ଏକ୍ସପ୍ରେସରେ ଡକାୟତି ପାଇଁ ସେମାନେ ଯୋଜନା ପ୍ରସ୍ତୁତ କରୁଥିଲେ ବୋଲି ଜେରା ବେଳେ ପୋଲିସ ଜାଣିବାକୁ ପାଇଛି । ମାମଲା ନଂ. ୩୯/୧୯ ଅନୁସାରେ ମାଷ୍ଟରମାଇଣ୍ଡ ରାହୁଲଙ୍କ ସମେତ ୬ ଜଣଙ୍କୁ ରବିବାର କୋର୍ଟ ଚାଲାଣ କରାଯାଇଛି । ଜାମିନ ନାମଞ୍ଜୁର ପରେ ସେମାନଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିବା ଜଣାପଡିଛି ।

Share