Categories: ଫୁରସତ

ଟ୍ରେନ୍‌ର ଭ୍ରମ ସୃଷ୍ଟି କରୁଛି ଏହି ସ୍କୁଲ, ଷ୍ଟେଶନ ପରି ସଜେଇ ହୋଇଛି ପାରିପାର୍ଶ୍ୱ

ରେଲ୍‌ଓ୍ବେ ଷ୍ଟେଶନ ତ ଦେଖିଥିବେ ନିଶ୍ଚିତ। କିନ୍ତୁ ଏମିତି ଏକ ସ୍କୁଲ ରହିଛି ଯାହା ଦେଖିବାକୁ ଅବିକଳ ରେଲ୍‌ଓ୍ବେ ଷ୍ଟେଶନ ପରି। ଅବିଶ୍ୱସନୀୟ ଲାଗୁଥିଲେ ମଧ୍ୟ ରାଜସ୍ଥାନର ଅଲଓ୍ବର ସହରରେ ଏମିତି ସ୍କୁଲ ରହିଛି। ସ୍କୁଲର ନାମ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ରେଲ୍‌ଓ୍ବେ ଷ୍ଟେଶନ। ଖାଲି ଏତିକି ନୁହେଁ ସ୍କୁଲର ପାଚେରିକୁ ଟ୍ରେନ୍‌ ରଙ୍ଗ ପରି ନୀଳ ରଙ୍ଗରେ ମଧ୍ୟ ପେଣ୍ଟିଂ କରାଯାଇଛି। ସ୍କୁଲର ଅନ୍ୟ ସାମଗ୍ରୀ ଟ୍ରେନ୍‌ ରଙ୍ଗ ପରି ହୋଇଛି। ଛାତ୍ରୀଛାତ୍ର ଯେତେବେଳେ ଦ୍ୱାରମୁହଁରେ ଠିଆ ହୋଇଥାନ୍ତି ଦେଖିଲେ ଲାଗେ ସତେ ଯେପରି ଟ୍ରେନ୍‌ରେ ଓହଳିକି ଯାତ୍ରା କରୁଛନ୍ତି। ସ୍କୁଲରେ ପଢୁଥିବା ଛାତ୍ରୀଛାତ୍ର ଏଠାରେ ଖୁବ୍‌ ମଜା ଉଠାଇଥାନ୍ତି।


ସ୍କୁଲର ପ୍ରଧାନଶିକ୍ଷକ ପୁରୁଷୋତ୍ତମ ଗୁପ୍ତା କୁହନ୍ତି, ସ୍କୁଲର ନାମ ପ୍ରଥମେ ରେଲ୍‌ଓ୍ବେ ଷ୍ଟେଶନ ରଖାଯାଇଥିଲା। ପରେ ସ୍କୁଲଟିକୁ ଟ୍ରେନ୍‌ର ରୂପ ଦେବାକୁ ଭାବିଲେ। ସ୍କୁଲର ପାରିପାର୍ଶ୍ୱକୁ ପୂରା ଷ୍ଟେଶନ ପରି କରିବାକୁ ଏବେ ବି ପ୍ରୟାସ ଜାରି ରଖିଥିବା କହିଛନ୍ତି।


ସ୍କୁଲକୁ ଏମିତି କାହିଁକି ରୂପ ଦିଆଯାଇଛି ବୋଲି ପଚରାଯିବାରୁ ସେ କୁହନ୍ତି, ସ୍କୁଲକୁ କମ୍‌ ପିଲା ପଢ଼ିବାକୁ ଆସୁଥିଲେ। ପିଲାସଂଖ୍ୟା ବଢ଼ାଇବା ପାଇଁ ସେ ଏପରି ଉପାୟ ଆପଣାଇଛନ୍ତି। ଏହା ପୂର୍ବରୁ ସ୍କୁଲ ସହରର ରେଲ୍‌ଓ୍ବେ ଷ୍ଟେଶନ ନିକଟରେ ଥିଲା। ପରେ ସ୍କୁଲକୁ ଏଠାକୁ ସ୍ଥାନାନ୍ତର କରାଯାଇଛି। କିନ୍ତୁ ନାମ ପରିବର୍ତ୍ତନ ହୋଇନାହିଁ।

Share