ଟ୍ରେନ୍‌ ଆଗକୁ ଡେଇଁ ଛାତ୍ରୀ ଆତ୍ମହତ୍ୟା ଘଟଣା: ନିରପେକ୍ଷ ତଦନ୍ତ ଦାବି

ଭଦ୍ରକ ଅଫିସ, ୭।୨-ଭଦ୍ରକ ଜିଲା ବାସୁଦେବପୁର ଅଞ୍ଚଳର ଜଣେ କଲେଜ ଛାତ୍ରୀ ୧୯ ଦିନ ତଳେ ଭଦ୍ରକ ଷ୍ଟେଶନରେ ଟ୍ରେନ୍‌ ଆଗକୁ ଡେଇଁ ଆତ୍ମହତ୍ୟା କରିଥିଲେ। ସେତେବେଳେ ରେଲଓ୍ବେ ପୋଲିସ ହାଲ୍‌କା ଭାବେ ନେଇ ମୃତଦେହ ଜବତ କରି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା। ଏହି ଘଟଣା ଏବେ ଭିନ୍ନ ମୋଡ଼ ନେଇଛି। ଛାତ୍ରୀ ଜଣଙ୍କ ରହୁଥିବା ମେସ୍‌ରେ ଜଣେ ଯୁବକଙ୍କ ସହ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଭାଇରାଲ ହୋଇଛି। ପୋଲିସ ଏ ସମ୍ପର୍କରେ ଜାଣିବା ପରେ ମଧ୍ୟ ନିଜ ଆଡୁ ମାମଲା ରୁଜୁ କରି ତଦନ୍ତ କରୁନାହିଁ ବୋଲି ବିଭିନ୍ନ ସ୍ବେଚ୍ଛାସେବୀ ସଙ୍ଗଠନ ଅଭିଯୋଗ କରିଛନ୍ତି। ଗୁରୁବାର ଜାତୀୟ ମାନବାଧିକାର ସଂଘ ଓ ଶୁକ୍ରବାର ନାରୀ ସୁରକ୍ଷା ମଞ୍ଚ ପକ୍ଷରୁ ଘଟଣାର ନିରପେକ୍ଷ ତଦନ୍ତ ପାଇଁ ଏସ୍‌ପିଙ୍କ ନିକଟରେ ଫେରାଦ ହୋଇଛନ୍ତି। ଭାଇରାଲ ହୋଇଥିବା ଭିଡିଓର ସତ୍ୟାସତ୍ୟ ତଦନ୍ତ ପରିସରଭୁକ୍ତ କରି ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।
ସୂଚନାଥାଉ କି, ମୃତା ଛାତ୍ରୀଙ୍କ ଘର ଗଞ୍ଜାମ ଜିଲାରେ ହୋଇଥିବାବେଳେ ସେ ବାସୁଦେବପୁର ଅଞ୍ଚଳରେ ରହି ଯୁକ୍ତ ୩ରେ ପାଠ ପଢ଼ି ଆସୁଥିଲେ। ଏହି ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଗିରଫ କରା ନ ଗଲେ ମହିଳାଙ୍କ ସ୍ବାର୍ଥ ଅଧିକାର ପାଇଁ ଲଢୁଥିବା ନାରୀ ସମାଜ ବାଧ୍ୟହୋଇ ଆନ୍ଦୋଳନାତ୍ମକ ପନ୍ଥା ଆପଣାଇବ ଓ ଭବିଷ୍ୟତ ଆଇନଶୃଙ୍ଖଳା ପରିସ୍ଥିତି ପାଇଁ ପୋଲିସ ପ୍ରଶାସନ ଦାୟୀ ରହିବ ବୋଲି ନାରୀ ସୁରକ୍ଷା ମଞ୍ଚର ରାଜଲକ୍ଷ୍ମୀ ମହାପାତ୍ର, ଚୈତାଳି ଖିଲାର ଓ ଲିପିକା ବାରିକ ପ୍ରମୁଖ ଦାବିପତ୍ରରେ ଉଲ୍ଲେଖ କରିଛନ୍ତି।