ଟ୍ରେନ୍‌ ଆଗକୁ ଡେଇଁ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣା: ତଦନ୍ତ ନିର୍ଦ୍ଦେଶ ଦେଲେ ଏସ୍‌ପି

ପଦ୍ମପୁର,୭।୨(ଡି.ଏନ.ଏ.)-ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଏଡ଼ତାଳ ଅଞ୍ଚଳର ଜଣେ କଲେଜ ଛାତ୍ରୀ ଗତ ୨୧ ତାରିଖରେ ଭଦ୍ରକ ଷ୍ଟେଶନରେ ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କରିଥିଲେ। ଏ ନେଇ ରେଲଓ୍ବେ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିଲା। ଛାତ୍ରୀଙ୍କ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଥିବାବେଳେ ଏହି ଘଟଣା ଏବେ ଭିନ୍ନ ମୋଡ଼ ନେଇଛି। ଛାତ୍ରୀ ରହୁଥିବା ମେସ୍‌ର ମାଲିକ ତାଙ୍କୁ ଅସଦାଚରଣ କରୁଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏ ସମ୍ପର୍କରେ ଜଣାପଡ଼ିବା ପରେ ଗୁରୁବାର ସନ୍ଧ୍ୟାରେ ଜିଲା ଏସ୍‌ପି ରାଜେଶ ପଣ୍ଡିତ ଟୁଇଟରରେ ବାସୁଦେବପୁର ଥାନା ଅଧିକାରୀଙ୍କୁ ଘଟଣାର ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଥାନା ଅଧିକାରୀ ମଧୁମିତା ମହାନ୍ତିଙ୍କୁ ଏ ନେଇ ପଚାରିବାରୁ ମୃତା ଛାତ୍ରୀଙ୍କ ପରିବାର ପକ୍ଷରୁ କୌଣସି ଲିଖିତ ଅଭିଯୋଗ କରାଯାଇ ନାହିଁ। ଏସ୍‌ପିଙ୍କ ନିର୍ଦ୍ଦେଶକ୍ରମେ ଘଟଣାର ତଦନ୍ତ କରାଯିବ ବୋଲି କହିଛନ୍ତି।