ଟ୍ରେନ୍‌ ଲାଇନ୍‌ ନିକଟରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

କେନ୍ଦୁଝର/ରାଇସୁଆଁ,୧୨।୯(ସ୍ବ.ପ୍ର./ଡି.ଏନ୍‌.ଏ.): କେନ୍ଦୁଝର ଟାଉନ ଥାନା ଅନ୍ତର୍ଗତ ହରିଡ଼ାଗୋଠ ନିକଟ ଟ୍ରେନ୍‌ ଲାଇନ୍‌ ନିକଟରୁ ଜଣେ ଅଜଣା ଯୁବକଙ୍କ ମୃତଦେହ ଗୁରୁବାର ଉଦ୍ଧାର କରାଯାଇଛି। ମୃତଦେହଟି ମୁହଁମାଡ଼ି ପଡ଼ିଥିଲା। ଏଥିସହ ତାଙ୍କର ଗୋଟିଏ ପାଦ କଟି ପଡ଼ିଥିବା ବେଳେ ମୁଣ୍ଡରେ କ୍ଷତଚିହ୍ନ ଥିବା ଦେଖିବାକୁ ମିଳିଛି। ଏଣୁ ତାଙ୍କୁ କେହି ହତ୍ୟା କରି ଏଠାରେ ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି। ଏଯାବତ୍‌ ଯୁବକଙ୍କ କୌଣସି ପରିଚୟ ମିଳିପାରିନାହିଁ। ଖବର ପାଇ ଟାଉନ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ଲାଗି କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ପଠାଇ ତଦନ୍ତ ଆରମ୍ଭ କରିଛି।