ଟ୍ରେନ୍‌, ଷ୍ଟେଶନରେ ବଢୁଛି ଚୋରି, ଲୁଟ୍‌: ୪୪ ମୋବାଇଲ୍‌ ଜବତ, ୫ ଗିରଫ

ଜଟଣୀ,୨୦ା୬(ଡି.ଏନ.ଏ.): ଟ୍ରେନ୍‌ରୁ ଯାତ୍ରୀଙ୍କଠାରୁ ମୋବାଇଲ୍‌ ଲୁଟ୍‌ କରିବା ଘଟଣାରେ ୫ ଅଭିଯୁକ୍ତଙ୍କୁ ଖୋର୍ଦ୍ଧାରୋଡ଼ ଜିଆର୍‌ପି ଓ ଆର୍‌ପିଏଫ୍‌ ଗିରଫ କରିଛନ୍ତି। ଏଥିରେ ୨ ଅଭିଯୁକ୍ତ ରହିଥିବା ବେଳେ ଚୋରି ମୋବାଇଲ୍‌ ରଖିଥିବା ୩ ଅଭିଯୁକ୍ତଙ୍କୁ ଗିରଫ ପରେ ଗୁରୁବାର କୋର୍ଟ ଚାଲାଣ କରାଯାଇଛି। ସେମାନଙ୍କଠାରୁ ୪୪ଟି ବିଭିନ୍ନ ବ୍ରାଣ୍ଡର ମୋବାଇଲ୍‌ ଜବତ କରାଯାଇଛି। ଗିରଫ ଦୁଇ ଅଭିଯୁକ୍ତ ହେଲେ ବ୍ରହ୍ମପୁର ବୈଦ୍ୟନାଥ ଥାନା ଅନ୍ତର୍ଗତ ଗେଟବଜାର ଗୋଲାପାଲି ଷ୍ଟ୍ରିଟ୍‌ର କୈଳାସ ବେହେରା ଓରଫ ପପୁ ଓ ହିଞ୍ଜିଳିକାଟୁ ଥାନା ନୂଆସାହି ସଁାପୁର ଗ୍ରାମର ସନ୍ଦୀପ ସାହୁ ଓରଫ ଜଗା। ସେହିପରି ଏମାନଙ୍କଠାରୁ ଚୋରି ମୋବାଇଲ ରଖିଥିବା ୩ ଅଭିଯୁକ୍ତ ହେଲେ କଟକ ଜିଲା ସଦର ଥାନା ଗୋପାଳପୁର ଗ୍ରାମର ଲିପକ ଲେଙ୍କା, ଗଞ୍ଜାମ ଜିଲା ଗୋଳନ୍ଥରା ଥାନା ବାଳିବନ୍ଧ ସାହିର କୈଳାସ ସେଠୀ ଓ ଗୋଳନ୍ଥରା ଗ୍ରାମର ବେଲ ଜେନା। ଚଳିତ ମାସ ୧୭ ତାରିଖ ରାତି ୨ଟାରେ ସିକନ୍ଦରାବାଦ-ଗୌହାଟୀ ଏକ୍ସପ୍ରେସ୍‌ ଟ୍ରେନ୍‌ରେ ଯାତ୍ରା କରୁଥିବା ଆସାମ ବେଗିନାଡ଼ି ଥାନା ଅଞ୍ଚଳର ମାନବ ଜ୍ୟୋତିଙ୍କୁ ମାଡ଼ ମାରି ଲୁଟେରାମାନେ ତାଙ୍କଠାରୁ ବ୍ୟାଗ୍‌ ଛଡାଇ ନେଇଥିଲେ। ଏହି ବ୍ୟାଗ୍‌ରେ ଦୁଇଟି ମୋବାଇଲ ଓ ଅନ୍ୟ କାଗଜପତ୍ର ରହିଥିଲା। ଲୁଟେରାଙ୍କ ମାଡରେ ମାନବ ସାମାନ୍ୟ ଆହତ ମଧ୍ୟ ହୋଇଥିଲେ। ସେ ଏ ନେଇ ଖୋର୍ଦ୍ଧାରୋଡ ଜିଆର୍‌ପି ଥାନାରେ ଅଭିଯୋଗ କରିଥିଲେ। ଆର୍‌ପିଏଫ୍‌ର କ୍ରାଇମ୍‌ ଫ୍ରିଭେନ୍‌ଶନ୍‌ ଓ ଡିଟେକ୍ସନ୍‌ ସ୍କ୍ବାଡର ଜବାନ ଓ ରେଲୱେ ପୋଲିସ(ଜିଆର୍‌ପି) ବିଭିନ୍ନ ସ୍ଥାନରେ ଚଢାଉ କରି ପ୍ରଥମେ ଦୁଇ ଅଭଯୁକ୍ତଙ୍କୁ ଗିରଫ କରିଥିଲେ। ପଚରାଉଚୁରା ପରେ ସେମାନଙ୍କ ବୟାନକୁ ଆଧାର କରି ମୋବାଇଲ୍‌ ଦେଇଥିବା କେତେକ ଦୋକାନ ଓ ଘର ଉପରେ ଚଢ଼ାଉ କରି ଏହାକୁ ରଖିଥିବା ୩ ଜଣଙ୍କୁ ଧରିଥିଲେ। ଲୁଟ୍‌ ଓ ଚୋରି ପରେ ମୋବାଇଲଗୁଡ଼ିକୁ ଜାତୀୟ ରାଜପଥରେ ଯାତାୟାତ କରୁଥିବା ଟ୍ରକ୍‌ ଡ୍ରାଇଭରମାନଙ୍କୁ ଅଭିଯୁକ୍ତମାନେ ବିକ୍ରୟ କରୁଥିବା ନେଇ ଖୋର୍ଦ୍ଧାରୋଡ ଜିଆର୍‌ପି ଥାନା ଅଧିକାରୀ ସନ୍ତୋଷ କୁମାର ବାହିନୀପତି କହିଛନ୍ତି।

Share