Categories: ଖେଳ

ଟ୍ରେଭର ବେଲିସ୍‌ ଟିମ୍‌ ଆବୁଧାବି କୋଚ୍‌

ଆବୁଧାବି, ୧୮ା୧୦ (ପି.ଟି.)-ଏଠାରେ ନଭେମ୍ବର ୧୫ରୁ ଆରମ୍ଭ ହେବାକୁଥିବା ଟି୧୦ ଟୁର୍ନାମେଣ୍ଟ ଲାଗି ଇଂଲଣ୍ଡ ଅଲରାଉଣ୍ଡର ମୋଇନ ଅଲି ଆବୁଧାବି ଟିମ୍‌ର ଅଧିନାୟକ ଦାୟିତ୍ୱ ତୁଲାଇବାକୁ ଥିବାବେଳେ ବିଶ୍ୱକପ୍‌ ବିଜୟୀ କୋଚ୍‌ ଟ୍ରେଭର ବେଲିସ୍‌ ଦଳର କୋଚ୍‌ ଦାୟିତ୍ୱ ତୁଲାଇବେ। ବାର୍ଷିକ ଖେଳାଳି ତାଲିକାରେ ସ୍ଥାନ ପାଇଥିବା ୧୧୦ଜଣଙ୍କୁ ୮ଟି ଦଳ ମଧ୍ୟରେ ବାଣ୍ଟି ଦିଆଯାଇଛି। ଟୁର୍ନାମେଣ୍ଟରେ ଅଂଶଗ୍ରହଣ କରିବାକୁଥିବା ନାମି ଖେଳାଳିଙ୍କ ମଧ୍ୟରେ ରହିଛନ୍ତି ଶ୍ରୀଲଙ୍କା ପେସ୍‌ ବୋଲର ଲସିଥ ମାଲିଙ୍ଗା, ଓ୍ବେଷ୍ଟଇଣ୍ଡିଜ ଅଲରାଉଣ୍ଡର କିରନ ପୋଲାର୍ଡ ଏବଂ ପାକିସ୍ତାନ ସ୍ପିଡ୍‌ଷ୍ଟର ମହମ୍ମଦ ଅମିର। ଟିମ୍‌ ଆବୁଧାବି ପ୍ରତି ଆବୁଧାବି ସ୍ପୋଟର୍‌ସ କାଉନ୍‌ସିଲର ସମର୍ଥନ ରହିଛି। ଦଳ ବେଲିସ୍‌ଙ୍କ ବ୍ୟତୀତ ୟୁଏଇ ନ୍ୟାଶନାଲ କ୍ରିକେଟ ଟିମ୍‌ର କୋଚ୍‌ ଡଗ୍‌ ବ୍ରାଉନ୍‌ଙ୍କ ଅଧୀନରେ ଟ୍ରେନିଂ ନେବ। ଇଂଲଣ୍ଡ ଅଲରାଉଣ୍ଡର ଅଲିଙ୍କୁ ଦଳର ଆଇକନ୍‌ ଖେଳାଳି ଭାବେ ମନୋନୀତ କରାଯାଇ ସାରିଛି। ଦଳ ଆହୁରି ମଧ୍ୟ ଶ୍ରୀଲଙ୍କାର ଷ୍ଟାର ଖେଳାଳି ନିରୋଶାନ ଡିକ୍‌ଓ୍ବେଲା, ନ୍ୟୁଜିଲାଣ୍ଡ ଅଲରାଉଣ୍ଡର କୋରେ ଆଣ୍ଡରସନ ଏବଂ ଅମିରଙ୍କୁ ଦଳରେ ସ୍ଥାନ ଦେଇଛି। ଗତଥରର ଚାମ୍ପିୟନ ନର୍ଦର୍ନ ଓ୍ବାରିୟର୍ସ ଓ୍ବେଷ୍ଟଇଣ୍ଡିଜର ଡାରେନ ସାମିଙ୍କୁ ଟିମ୍‌ର ଆଇକନ୍‌ ଖେଳାଳି ଭାବେ ମନୋନୀତ କରିଛି। ଦି ମାରାଠା ଆରବିୟାନ୍ସ ଏକ ସନ୍ତୁଳିତ ଦଳ ଗଠନ କରିଛି। ଦଳର ବ୍ୟାଟିଂ ଲାଇନ୍‌ ଅପ୍‌ ବେଶ୍‌ ଶକ୍ତିଶାଳୀ। ଅଷ୍ଟ୍ରେଲିଆର ଖ୍ରିସ୍‌ ଲିନ୍‌ ହେଉଛନ୍ତି ଦଳର ଆଇକନ୍‌ ଖେଳାଳି। ଦଳ ଲସିଥ୍‌ ମାଲିଙ୍ଗା ଏବଂ ଡ୍ବେନ ବ୍ରାଭୋଙ୍କୁ ସାମିଲ କରିଛି। ଡେକାନ ଗ୍ଲାଡିୟର୍ସ ତରଫରୁ ଓ୍ବେଷ୍ଟଇଣ୍ଡିଜ ଅଲରାଉଣ୍ଡର କିରଣ ପୋଲାର୍ଡ ଖେଳିବେ। ଇଅନ୍‌ ମୋର୍ଗାନ ଦିଲ୍ଲୀ ବୁଲ୍ସର ନେତୃତ୍ୱ ନେବେ। ଏହି ଦଳରେ ସ୍ଥାନ ପାଇଛନ୍ତି ପୂର୍ବତନ ପାକିସ୍ତାନ ଅଧିନାୟକ ଶୋଏବ ମଲିକ, ଆଫଗାନିସ୍ତାନ ଅଲରାଉଣ୍ଡର ମହମ୍ମଦ ନବି ଏବଂ ଶ୍ରୀଲଙ୍କାର କୁସାଲ ପେରେରା। ଟିମ୍‌ କ୍ୱାଲାଣ୍ଡାର୍ସ ଦଳରେ ପାକିସ୍ତାନର ମହମ୍ମଦ ହାଫିଜ୍‌ ଏବଂ ଇମାଦ୍‌ ଓ୍ବାସିମ୍‌ଙ୍କୁ ନେଇଛି।

Share