Categories: ଜାତୀୟ

ଟ୍ୟାଙ୍କବିଧ୍ୱଂସୀ କ୍ଷେପଣାସ୍ତ୍ର ପରୀକ୍ଷା ସଫଳ

ନୂଆଦିଲ୍ଲୀ,୧୨ା୯(ଆଇଏଏନ୍‌ଏସ୍‌): ପ୍ରତିରକ୍ଷା ଗବେଷଣା ବିକାଶ ସଂଗଠନ(ଡିଆର୍‌ଡି) ବୁଧବାର ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଟ୍ୟାଙ୍କବିଧ୍ୱଂସୀ କ୍ଷେପଣାସ୍ତ୍ର (ଏମ୍‌ପିଏଟିଜିଏମ୍‌) ସଫଳତାର ସହ ପରୀକ୍ଷା କରିଛି। ଆନ୍ଧ୍ରପ୍ରଦେଶର କୁର୍ନୁଲଠାରେ ପରୀକ୍ଷା କରାଯାଇଥିବା ଏହି ତୃତୀୟ ପିଢ଼ିର କ୍ଷେପଣାସ୍ତ୍ର ଯଥେଷ୍ଟ ହାଲୁକା ହୋଇଥିବାରୁ
ଜଣେ ବ୍ୟକ୍ତି ଏହାକୁ ପରିବହନ କରିପାରିବ। କୁର୍ନୁଲ ରେଞ୍ଜ୍‌ରେ ଥିବା ଏକ ଟ୍ୟାଙ୍କର ପ୍ରତିକୃତିକୁ ଉକ୍ତ ମିସାଇଲ ଲକ୍ଷ୍ୟଭେଦ କରି ଧ୍ୱଂସ କରିଦେଇଥିଲା। ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଏହି କ୍ଷେପଣାସ୍ତ୍ରର ଓଜନ ମାତ୍ର ୧୪ କି.ଗ୍ରା ଓ ଏହାକୁ ସ୍ଥଳସେନା ଯବାନମାନେ ଶତ୍ରୁପକ୍ଷ ଯାନକୁ ଧ୍ୱଂସ କରିବା ପାଇଁ ବ୍ୟବହାର କରିପାରିବେ। ଏହାର ସର୍ବାଧିକ ଲକ୍ଷ୍ୟଭେଦ କ୍ଷମତା ୨.୫ କିଲୋମିଟର। ସୋଭିଏଟ୍‌ ରୁଷ ଅମଳର ଟ୍ୟାଙ୍କବିଧ୍ୱଂସୀ କ୍ଷେପଣାସ୍ତ୍ର ସ୍ଥାନରେ ଏହାକୁ ବ୍ୟବହାର କରାଯିବ। ୨୦୨୧ ସୁଦ୍ଧା ଏମ୍‌ପିଏଟିଜିଏମ୍‌ ଯୋଗାଇଦେବ ବୋଲି ଡିଆର୍‌ଡିଓ ପ୍ରତିଶ୍ରୁତି ଦେବା ପରେ ଇସ୍ରାଏଲରୁ କିଣାଯିବାକୁ ଥିବା ସ୍ପାଇକ୍‌ ମିସାଇଲ୍‌ ଅର୍ଡରକୁ ଭାରତ ବାତିଲ କରିଥିଲା।

Share