ଟ୍ୟୁମର ପୀଡ଼ିତଙ୍କୁ ସହଯୋଗର ହାତ ବଢ଼ାଇଲେ ଇଟାଲୀୟ

ପୁରୀ ଅଫିସ, ୬।୧୦: ଦୀର୍ଘଦିନ ଧରି ମସ୍ତିଷ୍କଜନିତ ଟ୍ୟୁମର ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁ ସହ ସଂଗ୍ରାମ କରୁଥିବା ଜଣେ ଗରିବ ଅସହାୟ ଯୁବକଙ୍କ ଚିକିତ୍ସା ଲାଗି ସହଯୋଗର ହାତ ବଢାଇଛନ୍ତି ଜଣେ ଇଟାଲୀ ଯୁବକ। ସେ ହେଲେ ସ୍ବେଚ୍ଛାସେବୀ ସଂଗଠନ ରାଧିକା ଚାରିଟେବୁଲ ଟ୍ରଷ୍ଟର ଅଧ୍ୟକ୍ଷ ଇଟାଲୀର ଆଲଫ୍ରେଡ଼ୋ ରୋମ୍ବାଲା। ଗୁରୁବାର ଆଲଫ୍ରେଡ଼ୋ ଚନ୍ଦନପୁର ଯାଇଥିଲେ। ସେଠାରେ ପ୍ରତାପଙ୍କ ପରିବାର ସହ କଥାବାର୍ତ୍ତା ହୋଇଥିଲେ। ପରେ ତାଙ୍କ ଟ୍ୟୁମର ଅପରେଶନ ଲାଗି ସମସ୍ତ ଖର୍ଚ୍ଚ ବହନ କରିବାକୁ ପ୍ରତିଶ୍ରୁତି ଦେଇଥିବା ଆଲୋକ ଧରିତ୍ରୀକୁ ଜଣାଇଛନ୍ତି।

ପୁରୀ ସଦର ଚନ୍ଦନପୁର ପଣ୍ଡା ସାହିର ପ୍ରତାପ ସାହୁ(୨୪)। ଗତ ଦେଢ ବର୍ଷ ତଳେ ତାଙ୍କ ଦେହ ଭୀଷଣ ଖରାପ ହୋଇପଡିଥିଲା। ପରେ ତାଙ୍କୁ ବ୍ରେନ ଟ୍ୟୁମର ହୋଇଥିବା ପରିବାର ଜାଣିବାକୁ ପାଇଥିଲେ। ଗ୍ରାମବାସୀଙ୍କ ସହଯୋଗରେ ପ୍ରଥମେ ରାଜ୍ୟ ବାହାରକୁ ଚିକିତ୍ସା ପାଇଁ ଯାଇଥିଲେ। ତେବେ ଚିକିତ୍ସାରେ ବିଳମ୍ବ ଯୋଗୁ ପୁଣି ଏକ ଟ୍ୟୁମର ହୋଇଥିଲା। ସେ ପୁଣି ଥରେ ଉକ୍ତ ହସ୍‌ପିଟାଲକୁ ଚିକିତ୍ସା ଲାଗି ଯାଇଥିଲେ। ତାଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ନ ଥିବାରୁ କର୍ତ୍ତୃପକ୍ଷ ତାଙ୍କୁ ଆବଶ୍ୟକ ଔଷଧ ଦେଇ ଆଠ ମାସ ପରେ ଆସିବାକୁ କହିଥିଲେ। ପ୍ରତାପଙ୍କ ପରିବାରର ଆର୍ଥୀକ ସ୍ବଚ୍ଛଳତା ନ ଥିବା ଯୋଗୁ ପୁଣିଥରେ ସେଠାକୁ ଯାଇପାରି ନ ଥିଲେ। ଏହାରି ମଧ୍ୟରେ ପ୍ରତାପ ଧୀରେ ଧୀରେ ଦୃଷ୍ଟିଶକ୍ତି ହରାଇବସିଥିଲେ। ପରେ ସେ ଶଯ୍ୟାଶାୟୀ ହୋଇଯାଇଥିଲେ। କଂଗ୍ରେସର ଯୁବନେତା ଆଲୋକ କୁମାର ଦାଶ ଏ ସମ୍ପର୍କରେ ଖବର ପାଇ ରାଧିକା ଚାରିଟେବୁଲ ଟ୍ରଷ୍ଟ ଅଧ୍ୟକ୍ଷ ଆଲଫ୍ରେଡ଼ୋଙ୍କ ସହ ଯୋଗାଯୋଗ କରିଥିଲେ।

Share