ଠକେଇ ଅଭିଯୋଗରେ ଶିକ୍ଷୟିତ୍ରୀଙ୍କୁ ୬ ମାସ ଜେଲ

ନୟାଗଡ଼ ଅଫିସ,୧୫।୧୧: ନୟାଗଡ଼ ଏସ୍‌ଡିଜେଏମ୍‌ (ଉପଖଣ୍ଡ ନ୍ୟାୟାଧିକାରୀ) ସଦ୍ୟସ୍ନାତା ପତି ୨୨ ଲକ୍ଷ ୬୦ ହଜାର ଟଙ୍କା ଠକେଇ ଅଭିଯୋଗରେ ଜଣେ ଶିକ୍ଷୟିତ୍ରୀଙ୍କୁ ୬ ମାସ କାରାଦଣ୍ଡାଦେଶ କରିଛନ୍ତି । ସେ ହେଲେ ଓଡ଼ଗାଁ ବ୍ଲକ ନନ୍ଦିଘୋର ବାଳିକା ଉଚ୍ଚ ବିଦ୍ୟାଳୟର ହିନ୍ଦୀ ଶିକ୍ଷୟିତ୍ରୀ ଊର୍ମିଳା ପରିଡ଼ା।
ଯେ, ଊର୍ମିଳା ଶିକ୍ଷୟିତ୍ରୀ ଚାକିରି କରିବା ସହିତ ଭୀମଭୋଇ ଗ୍ରାମ୍ୟ ଉନ୍ନୟନ ସଂସଦ ନାମରେ ଏକ ଏନ୍‌ଜିଓ କରି ତାହାର ସମ୍ପାଦିକା ଥିଲେ। ସେ ତାଙ୍କର ଜଣେ ସର୍ମ୍ପକୀୟ ପିଉସା ବୈରାଗୀ ପେଣ୍ଠୋଇଙ୍କ ଠାରୁ ୨୦ ଅଗଷ୍ଟ ୨୦୧୬ରେ ୨୨ ଲକ୍ଷ ୪୦ ହଜାର ଟଙ୍କା ତାଙ୍କ ଏନଜିଓ ପାଇଁ ଆଣିଥିଲେ। ମାସେ ଭିତରେ ତାଙ୍କ ଏନ୍‌ଜିଓ ଟଙ୍କା ମିଳିଲେ ଉକ୍ତ ଟଙ୍କାକୁ ଫେରାଇ ଦେବା ପାଇଁ ସେ କହିଥିଲେ। ଫଳରେ ବୈରାଗୀ କିଛି ସାକ୍ଷୀଙ୍କ ଉପସ୍ଥିତିରେ ଊର୍ମିଳାଙ୍କୁ ୨୨ ଲକ୍ଷ ୪୦ ହଜାର ଟଙ୍କା ଦେଇଥିଲେ। ଏକ ମାସ ପରେ ବୈରାଗୀ ଊର୍ମିଳାଙ୍କୁ ଟଙ୍କା ମାଗିବାରୁ ସେ ଆଜି ଦେବେ କାଲି ଦେବେ କହି ଦିନ ଗଡ଼ାଇ ଚାଲିଲେ । ଏହା ପରେ ଊର୍ମିଳା ଅକ୍ଟୋବର ମାସରେ ୨୨ ଲକ୍ଷ ୪୦ ହଜାର ଟଙ୍କାର ଦୁଇଟି ଚେକ୍‌ ବୈରାଗୀଙ୍କୁ ଦେଇଥିଲେ। ବୈରାଗୀ ଏହାକୁ ନେଇ ବ୍ୟାଙ୍କରେ ଡିପୋଜିଟ କରିବାରୁ ଚେକ୍‌ ବାଉନ୍ସ ହୋଇଯାଇଥିଲା। ଊର୍ମିଳା ତାଙ୍କୁ ଠକିଥିବା ବୈରାଗୀ ଜାଣିବାକୁ ପାଇଲେ। ଏହା ପରେ ସେ ଏ ନେଇ ନୟାଗଡ଼ ଏସଡିଜେଏମ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଗୁରୁବାର ଏସ୍‌ଡିଜେଏମ ଉକ୍ତ ମାମଲାର ଶୁଣାଣି କରି ଊର୍ମିଳାଙ୍କୁ ୬ ମାସ କାରାଦଣ୍ଡାଦେଶ ଦେଇଛନ୍ତି। ସେହିଭଳି ବୈରାଗୀଙ୍କ ୨୨ ଲକ୍ଷ ୪୦ ହଜାର ଟଙ୍କା ସହିତ ଜରିମାନା ବାବଦକୁ ୨ ଲକ୍ଷ ୬୦ ହଜାର ମୋଟ ୨୫ ଲକ୍ଷ ଟଙ୍କା ଊର୍ମିଳାଙ୍କୁ କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜରିମାନା ଅନାଦେୟ ହେଲେ ଅଧିକ ୩ ମାସ କାରାଦଣ୍ଡ ଭୋଗ କରିବାକୁ ପଡ଼ିବ ବୋଲି ଶୁଣାଣି ହୋଇଛି। ସରକାରୀ ଓକିଲ ବଳଭଦ୍ର ମହାନ୍ତି ମାମଲାକୁ ପରିଚାଳନା କରିଥିଲେ।

Share