ଠକେଇ ଅଭିଯୋଗ: ୪ ଗିରଫ, ସ୍କର୍ପିଓ ଜବତ

ବ୍ରହ୍ମପୁର ଅଫିସ,୪|୮-ବୈଦ୍ୟନାଥପୁର ପୋଲିସ ୪ ଠକଙ୍କୁ ଶୁକ୍ରବାର ଗିରଫ କରିଛି। ସେମାନେ ଇଷ୍ଟ ଇଣ୍ଡିଆ-୧୮୧୮ ଲେଖା ହୋଇଥିବା ଏକ କଏନ (ମୁଦ୍ରା) ଯାହାକି ହନୁମାନ ପଇସା ଏବଂ ଏହାଦ୍ୱାରା ଅସମ୍ଭବକୁ ସମ୍ଭବ କରିହେବ ବୋଲି କହି ଲୋକଙ୍କୁ ଠକେଇ କରୁଥିବା ଅଭିଯୋଗରେ ପୋଲିସ ସେମାନଙ୍କୁ ଗିରଫ କରିଛି। ସେମାନେ ହେଲେ ଟାଉନ ଥାନା ଅନ୍ତର୍ଗତ କାମ୍ପ ସାହିର ପବନ କୁମାର, ସାଇ କିରଣ, ବଡବଜାର ଥାନା ଅନ୍ତର୍ଗତ ବାଲ୍ମୀକିପେଟାର ଧ୍ରୁବ ଚରଣ ସାହୁ ଓ ମଙ୍ଗଳବାରମପେଟାର ସିଏଚ.ମନୋହର। ପୋଲିସ ସେମାନେ ବ୍ୟବହାର କରୁଥିବା ଏକ ସ୍କର୍ପିଓ ଛତିଶଗଡ଼ ନମ୍ବର (ସିଜି-୨୧ଡି ୧୦୦୦)କୁ ଜବତ କରିଛି। ମାମଲା ନଂ. ୧୪୯/୧୯ରେ ଶନିବାର କୋର୍ଟ ଚାଲାଣ କରିଛି ବୋଲି ଥାନାଧିକାରୀ ସାରଦା ପ୍ରସନ୍ନ ଦାସ ସୂଚନା ଦେଇଛନ୍ତି।
ପ୍ରକାଶ ଯେ, ଶୁକ୍ରବାର ପୋଲିସ ଖୋଡାସିଙ୍ଗି ନିକଟରେ ଯାନବାହନ ଯାଞ୍ଚ କରୁଥିଲା। ଏହି ସମୟରେ ଏକ ସ୍କର୍ପିଓ ଅଟକାଇ ଯାଞ୍ଚ କରିଥିଲା। ଗାଡିରୁ ଏକ ହନୁମାନ ପଇସା ମିଳିଥିଲା। ଯାହାକୁ ନେଇ ପୋଲିସ ଗାଡ଼ିରେ ଥିବା ଯୁବକମାନଙ୍କୁ ପଚରାଉଚରା କରିଥିଲା। ଜେରାବେଳେ ଏହି ହନୁମାନ ପଇସା ଜରିଆରେ ସେମାନେ ଲୋକଙ୍କୁ ଠକେଇ କରୁଥିଲେ ବୋଲି ପୋଲିସ ଜାଣିବାକୁ ପାଇଛି। ଅଭିଯୁକ୍ତମାନେ ଏହି ହନୁମାନ ପଇସା କେଉଁଠୁ ଆଣିଲେ ଏବଂ ସେମାନେ କେଉଁ ଲୋକମାନଙ୍କୁ ଠକେଇ କରିଛନ୍ତି ସେ ନେଇ ତଦନ୍ତ ଜାରି ରଖିଥିବା ଥାନାଧିକାରୀ ସାରଦା ପ୍ରସନ୍ନ ଦାସ କହିଛନ୍ତି।