Categories: ଗଞ୍ଜାମ

ଠାକୁରାଣୀ ଯାତ୍ରା ଲାଗି ପୁରୁଷୋତ୍ତମପୁର ଉତ୍ସବମୁଖର

ପୁରୁଷୋତ୍ତମପୁର,୨୮।୫(ଡି.ଏନ୍‌.ଏ.)- ପୁରୁଷୋତ୍ତମପୁରରେ ଚାଲିଥିବା ପଞ୍ଚ ଠାକୁରାଣୀଙ୍କ ଦ୍ୱିବାର୍ଷିକ ଯାତ୍ରା ମଙ୍ଗଳବାର ୧୬ଦିନରେ ପହଞ୍ଚତ୍ଛି। ପ୍ରତ୍ୟେକଦିନ ସନ୍ଧ୍ୟାରେ ମା’ ପଞ୍ଚ ଠାକୁରାଣୀ (କନକା, କାଳୁଆ, ତାରା ତାରିଣୀ, କାଳୀ ଓ ଫୁଲ ସୁନ୍ଦରୀ)ଙ୍କ ଘଟ ପର୍ଯ୍ୟାୟକ୍ରମେ ଗୋଟିଏ ଦିନ ପୂର୍ବଖଣ୍ଡ ରାଧାକାନ୍ତ ସାହି, ରଥସାହି, ଥାନା, ଜଗନ୍ନାଥ ବଜାର, ହନୁମାନ ବଜାର, ଧୋବା ସାହି, କଲେଜ ଛକ, ଅମୁଣିଆ ସାହି, ପୋଷ୍ଟ ଅଫିସ ସାହି, ସୁନାରିତୋଟା ସାହି ପରିକ୍ରମାରେ ଯାଉଥିବାବେଳେ ଆଉ ଗୋଟିଏ ଦିନ ପଶ୍ଚିମ ଖଣ୍ଡ ନଇତଟ ସାହି, ଗଡ ସାହି, କନକା ସାହି, ନନ୍ଦିକ ସାହି, ଚିଙ୍ଗୁଡିଆପଦର ସାହି, କାଳୀ ମନ୍ଦିର ଛକ ଅଭିମୁଖେ ପରିକ୍ରମା କରିବାରେ ଲାଗିଛନ୍ତି। ଏହି ପରିକ୍ରମାବେଳେ ସମସ୍ତ ଜନସାଧାରଣ ତାଙ୍କ ଘର ସମ୍ମୁଖରେ ପୂଜାର୍ଚ୍ଚନା କରିବାରେ ଲାଗିଛନ୍ତି। ଏନେଇ ସମଗ୍ର ସହର ଉତ୍ସବମୁଖର ହୋଇ ପଡିଛି। ଦିନକୁଦିନ ଭକ୍ତଙ୍କ ଭିଡ ଜମିବାରେ ଲାଗିଛି। ଏହି ଯାତ୍ରାକୁ ଯାତ୍ରା ଅଧିକାରୀ ରମାକାନ୍ତ ଦାଶ, ସଭାପତି କେ. ଶ୍ୟାମମୂର୍ତ୍ତୀ ଆଚାରି, ସମ୍ପାଦକ ପ୍ରହଲ୍ଲାଦ ସାହୁ, କୋଷାଧ୍ୟକ୍ଷ ମନୋରଞ୍ଜନ ଦାଶ, ରବୀନ୍ଦ୍ରକୁମାର ମହାରଣା, ରୁପେଶ କୁମାର ସାହୁ, କୃଷ୍ଣଚନ୍ଦ୍ର ଦାଶଙ୍କ ସମେତ ସମସ୍ତ ସସଦ୍ୟ ପରିଚାଳନାରେ ଲାଗିଛନ୍ତି।