Categories: ଗଞ୍ଜାମ

ଠିକାଦାରଙ୍କୁ ଅପହରଣ: ସୁନା ଗହଣା ଦେଇ ମୁକୁଳାଇଲେ ସ୍ତ୍ରୀ

ଆସିକା,୨୭ା୪(ଡି.ଏନ୍‌.ଏ.)- ଆସିକା ଥାନାର ଆଲିପୁର ଗ୍ରାମଠାରେ ଗୁରୁବାର ରାତି ପ୍ରାୟ ୮ଟାରେ ଜଣେ ଠିକାଦାର ଓ ତାଙ୍କ ସହଯୋଗୀଙ୍କୁ ଦୁର୍ବୃତ୍ତମାନେ ବନ୍ଧୁକ ଦେଖାଇ ଅପହରଣ କରିନେଇଥିଲେ। ଅପହୃତ ଠିକାଦାର ଜଣକ କୋଟିବାଡି ଗ୍ରାମର ପ୍ରଶାନ୍ତ ଗୌଡ (୪୭) ଓ ତାଙ୍କ ସହଯୋଗୀ ଆଲିପୁର ଗ୍ରାମର କାଳିଆ ଜେନା (୧୮)। ଅପହରଣକାରୀମାନେ ପ୍ରଶାନ୍ତ ଓ କାଳିଆଙ୍କୁ ମାଡମାରିବା ସହ ପ୍ରଶାନ୍ତଙ୍କ ନିକଟରେ ଥିବା ୧୦ ହଜାର ଟଙ୍କା ନେଇଯାଇଥିଲେ। ପରେ ଠିକାଦାରଙ୍କ ସ୍ତ୍ରୀଙ୍କୁ ଟେଲିଫୋନ କରି ଟଙ୍କା ଓ ସୁନା ନଦେଲେ ପ୍ରଶାନ୍ତଙ୍କୁ ହତ୍ୟା କରାଯିବ ବୋଲି ଧମକ ଦେଇଥିଲେ। ଦୁର୍ବୃତ୍ତମାନେ ଠିକାଦାର ଓ ତାଙ୍କ ସହଯୋଗୀଙ୍କୁ ଆଲିପୁର-ବାବନପୁର ଗ୍ରାମ୍ୟ ରାସ୍ତା କଡରେ ଥିବା ଏକ ବଡ ପୋଖରୀ ନିକଟ ଖାଲୁଆ ଚାଷ ଜମିରେ ନେଇ ଅଟକ ରଖିଥିଲେ। ପରେ ଠିକାଦାରଙ୍କ ସ୍ତ୍ରୀ ଘଟଣାସ୍ଥଳରେ ପହଞ୍ଚତ୍ ୭ଭରି ଓଜନର ୨ଟି ରାଣୀହାର, ଗୋଟିଏ ନାନୁ ଓ ଗୋଟିଏ ମୁଦି ସହ ନଗଦ ୧୦ ହଜାର ଟଙ୍କା ଅପହରଣକାରୀଙ୍କୁ ଦେଇ ସ୍ବାମୀଙ୍କୁ ମୁକୁଳାଇଥିବା ଜଣାଯାଇଛି। ଅପରପକ୍ଷେ ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚତ୍ ଅପହରଣକାରୀଙ୍କ କବଳରୁ ମୁକ୍ତ ପ୍ରଶାନ୍ତ ଓ ତାଙ୍କ ସହଯୋଗୀଙ୍କୁ ରାତି ପ୍ରାୟ ସାଢେ ୧୨ଟାବେଳେ ଥାନାକୁ ଆଣିଥିବା ଜଣାଯାଇଛି। ପୋଲିସ ପକ୍ଷରୁ ପ୍ରଶାନ୍ତ ଓ କାଳିଆଙ୍କୁ ଆସିକା ସରକାରୀ ଡାକ୍ତରଖାନାରେ ଚିକିତ୍ସା କରାଯାଇଛି। ଶୁକ୍ରବାର ମଧ୍ୟାହ୍ନରେ ଘଟଣା ସମ୍ପର୍କରେ ପ୍ରଶାନ୍ତ ଆସିକା ପୋଲିସରେ ଅଭିଯୋଗ କରିଛନ୍ତି। ଅପହରଣକାରୀମାନେ ମୁଖା ପିନ୍ଧିଥିବା ଯୋଗୁ ସେ କାହାରିକୁ ଚିହ୍ନିପାରି ନ ଥିବା ଅଭିଯୋଗରେ ଦର୍ଶାଇଛନ୍ତି। ୩ଟି ବାଇକରେ ୮ଜଣ ଦୁର୍ବୃତ୍ତ ଆସିଥିବା ଓ ସାଥିରେ ଗୋଟିଏ କାର ମଧ୍ୟ ଆଣିଥିବା ସେ କହିଛନ୍ତି। ପ୍ରଶାନ୍ତ ଓ କାଳିଆ ଗୋଟିଏ ବାଇକରେ ଯାଉଥିବା ବେଳେ ଅନ୍ୟ ଜଣେ ସହଯୋଗୀ ନାରାୟଣ ପାତ୍ର ମଧ୍ୟ ସାଥିରେ ଥିଲେ। ଦୁର୍ବୃତ୍ତମାନେ ଆଲିପୁର ସ୍କୁଲ ନିକଟରେ ସେମାନଙ୍କୁ ଅଟକାଇ ଅପହରଣ କରିନେଇଥିବା ଅଭିଯୋଗରେ ଦର୍ଶାଯାଇଛି। ଅପରପକ୍ଷେ ପୋଲିସ ପ୍ରାଥମିକ ତଦନ୍ତରୁ ବଟିକୁ କେନ୍ଦ୍ର କରି ଏହି ଘଟଣା ଘଟିଥିବା କୁହାଯାଇଛି। ପ୍ରଶାନ୍ତ ୨ମାସ ହେଲା ବଟି ନଦେବାରୁ ଦୁର୍ବୃତ୍ତମାନେ ଏଭଳି କରିଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି ବୋଲି ଥାନା ଅଧିକାରୀ ପୀତବାସ ଧାରୁଆ ସୂଚନା ଦେଇଛନ୍ତି। ପ୍ରଶାନ୍ତଙ୍କ ଅଭିଯୋଗ କ୍ରମେ ନଂ.୧୩୫/୧୯ରେ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତଙ୍କୁ ଧରିବା ଲାଗି ଉଦ୍ୟମ ଜାରି ରହିଛି।