ଠିକାଦାରଙ୍କ କବ୍‌ଜାରେ ମହାବିଦ୍ୟାଳୟ ଖେଳପଡ଼ିଆ

ବାଲେଶ୍ୱର ଅଫିସ,୩୦।୧- ବାଲେଶ୍ୱର ସହର ଏଡ଼ିଏମ୍‌ ଛକ ସ୍ଥିତ ଶିକ୍ଷକ ପ୍ରଶିକ୍ଷଣ ମହାବିଦ୍ୟାଳୟ ପରିସରରେ ଥିବା ଖେଳ ପଡ଼ିଆରେ ଜନୈକ ଠିକାଦାର ଅନ୍ୟତ୍ର କାର୍ଯ୍ୟ ପାଇଁ ବାଲି, ଇଟା, ଚିପ୍ସ, ସିମେଣ୍ଟ ଏପରିକି ଜେସିବି ମେଶିନ ରଖି ଖେଳ ପଡ଼ିଆକୁ କବ୍‌ଜା କରିଥିବା ମହାବିଦ୍ୟାଳୟର ଛାତ୍ରମାନେ ଅଭିଯୋଗ କରିଛନ୍ତି। ଉକ୍ତ ପଡ଼ିଆରେ ଶିକ୍ଷକ ପ୍ରଶିକ୍ଷଣ ନେଉଥିବା ଛାତ୍ରମାନେ ପ୍ରତିଦିନ ଖେଳକୁଦ କରିଥାନ୍ତି। ଏପରିକି ମହାବିଦ୍ୟାଳୟର ବାର୍ଷିକ ଉତ୍ସବ ତଥା ସମସ୍ତ କାର୍ଯ୍ୟକ୍ରମ ଉକ୍ତ ପଡ଼ିଆରେ ହୋଇଥାଏ। ପଡ଼ିଆରେ ବାଲି, ଇଟା, ଚିପ୍ସ, ସିମେଣ୍ଟ ରଖିବା ପାଇଁ ଆସୁଥିବା ବଡ଼ବଡ଼ ଟ୍ରକ୍‌ ପଡ଼ିଆକୁ ନଷ୍ଟ କରିବା ସହ ମହାବିଦ୍ୟାଳୟର ପକ୍କା ରାସ୍ତାକୁ ନଷ୍ଟ କରି ଦେଇଥିବା ଜଣାପଡ଼ିଛି। ଏନେଇ ମହାବିଦ୍ୟାଳୟ କର୍ତ୍ତୃପକ୍ଷ ପ୍ରତିବାଦ କରୁ ନ ଥିବା ଜଣାପଡ଼ିଛି।
ଏ ସମ୍ପର୍କରେ ମହାବିଦ୍ୟାଳୟର ଅଧ୍ୟକ୍ଷ ହରେକୃଷ୍ଣ ସାହୁଙ୍କୁ ପଚାରିବାରୁ ସେ କୁହନ୍ତି, ନିକଟରେ ମହାନାଳ ନିର୍ମାଣ କରୁଥିବା ଠିକାଦାର ତାଙ୍କୁ ଉକ୍ତ ସାମଗ୍ରୀ ରଖିବା ନିମନ୍ତେ କହିଥିଲେ। ମନା କରିବା ପରେ ମଧ୍ୟ ସ୍ଥାନୀୟ ନେତାମାନଙ୍କ ଦ୍ୱାରା ଚାପ ପ୍ରୟୋଗ କରି ସେଠାରେ ରଖୁଛନ୍ତି। ରାସ୍ତା ଏବଂ ପଡ଼ିଆ ନଷ୍ଟ କରିବା ସମ୍ପର୍କରେ ଠିକାଦାରଙ୍କୁ ଜଣାଇଛି। କାର୍ଯ୍ୟ ଶେଷ ହେବା ପରେ ସେ ନଷ୍ଟ ହୋଇଥିବା ରାସ୍ତା ଓ ପଡ଼ିଆକୁ ସଜାଡ଼ିବାର ପ୍ରତିଶ୍ରୁତି ଦେଇଛନ୍ତି। କିନ୍ତୁ ସେସବୁ କରିିବେ କି ନାହଁି ଏବେ ପ୍ରଶ୍ନ ଉଠିଥିବାରୁ ଉକ୍ତ ସାମଗ୍ରୀକୁ ଅନ୍ୟତ୍ର ଉଠାଇବା ପାଇଁ ସେ ଯଥାଶୀଘ୍ର ନିର୍ଦ୍ଦେଶ ଦେବେ ବୋଲି ପ୍ରକାଶ କରିଛନ୍ତି।