ଠିକାଦାରଙ୍କ କବ୍‌ଜାରେ ରୋଗୀ କ୍ୟାବିନ

ଭୁବନେଶ୍ୱର,୩ା୩(ବ୍ୟୁରୋ): କ୍ୟାପିଟାଲ ହସ୍ପିଟାଲକୁ ରୋଗୀ ଗଲେ ସେମାନଙ୍କୁ ସହଜରେ ବେଡ୍‌ ମିଳୁନି। ଯଦି ବେଡ୍‌ ମିଳୁଛି ତେବେ ବହୁ ଧରାଧରି ଏବଂ ହାତଗୁଞ୍ଜା ଦେବା ପରେ। ଯେଉଁମାନେ ଦେଇପାରୁ ନାହାନ୍ତି ସେମାନେ ଚଟାଣରେ ଶୋଇ ଚିକିତ୍ସିତ ହେଉଛନ୍ତି। କିନ୍ତୁ ଏବେ କ୍ୟାପିଟାଲ ହସ୍ପିଟାଲରେ ରୋଗୀମାନଙ୍କ ପାଇଁ ଉଦ୍ଦିଷ୍ଟ ୩ କ୍ୟାବିନକୁ ମାଡ଼ି ବସିଛନ୍ତି ଠିକାଦାର ଏବଂ ବଡ଼ବଡ଼ିଆମାନେ। କ୍ୟାପିଟାଲ ହସ୍ପିଟାଲରେ କାମ ନେଇଥିବା କେତେଜଣ ଠିକାଦାର କ୍ୟାବିନରେ ନିଜର କର୍ମଚାରୀମାନଙ୍କୁ ରଖିଛନ୍ତି। ଅନ୍ୟପକ୍ଷରେ ରୋଗୀ କ୍ୟାବିନ ନ ପାଇ ହଇରାଣ ହେଉଛନ୍ତି। ପ୍ରଶ୍ନ ଉଠୁଛି ସାଧାରଣ ଲୋକେ କ୍ୟାବିନ ପାଉ ନ ଥିବା ବେଳେ ଏହି ଠିକାଦାରଙ୍କୁ କିଭଳି ମିଳିଯାଉଛି। କିନ୍ତୁ କ୍ୟାବିନରେ ରହୁଥିବା ଲୋକଙ୍କୁ ପଚାରିବାରୁ ସେମାନେ କହୁଛନ୍ତି ଯେ, ‘ଆମେ ଏଠାରେ କାମ କରୁଛୁ। ଘର ମିଳି ନ ଥିବାରୁ ଠିକାଦାର ଆମକୁ ଏଠାରେ ରହିବାକୁ କହିଛନ୍ତି। ଘର ମିଳିଲେ ଚାଲିଯିବୁ।’
ଅନ୍ୟପକ୍ଷରେ ଡାକ୍ତରଙ୍କୁ ଦୁର୍ବ୍ୟବହାର ଅଭିଯୋଗରେ ଗିରଫ ହୋଇ ଜାମିନରେ ଆସିଥିବା ସରୋଜ ମିଶ୍ର ନାମକ କ୍ୟାପିଟାଲ ହସ୍ପିଟାଲର ପୂର୍ବତନ ସୁରକ୍ଷା କର୍ମୀ କ୍ୟାବିନ କେଳେଙ୍କାରୀ କଥା ପଦାକୁ ଆଣିଛନ୍ତି। ସରୋଜଙ୍କ କହିବାନୁଯାୟୀ, କେବଳ କ୍ୟାବିନ ଦୁର୍ନୀତି ନୁହେଁ, କେତେଜଣ ଡାକ୍ତର ଘରୋଇ କ୍ଲିନିକ୍‌କୁ ରୋଗୀ ପଠାଇ ମାଲାମାଲ ହେଉଛନ୍ତି। ତାଙ୍କର ଜଣେ ସମ୍ପର୍କୀୟ ଆସନ୍ନପ୍ରସବା ମହିଳା ୬ ଦିନ ହସ୍ପିଟାଲରେ ରହିବା ପରେ ତାଙ୍କୁ ଘରୋଇ କ୍ଲିନିକ୍‌କୁ ଯିବା ପାଇଁ ଡାକ୍ତର କହିଥିଲେ। ଏନେଇ ସରୋଜ ପ୍ରତିବାଦ କରିବାରୁ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଏହାର ୮ ଦିନ ପରେ ପୋଲିସ ତାଙ୍କୁ ଗିରଫ କରିଥିଲା। ଏହା ଏକ ଷଡ଼ଯନ୍ତ୍ର ବୋଲି ସରୋଜ କହିଛନ୍ତି।
କ୍ୟାପିଟାଲ ହସ୍ପିଟାଲ ଡେପୁଟି ଡାଇରେକ୍ଟର ଧନଞ୍ଜନ ଦାଶ କହିଛନ୍ତି ଯେ, କେହି କ୍ୟାବିନ ମାଡିବସିବା ଅଭିଯୋଗ ସମ୍ପୂର୍ଣ୍ଣ ମିଛ। ଉକ୍ତ କ୍ୟାବିନଗୁଡ଼ିକ କିଛି କାମରେ ଆସୁ ନ ଥିବାରୁ ସେଠାରେ ହସ୍ପିଟାଲର କର୍ମଚାରୀ ଓ ଇଲେକ୍ଟ୍ରିସିଆନ୍‌ ରହୁଛନ୍ତି। ଜାଣିଣୁଣି ସରୋଜ ମିଛ ଅଭିଯୋଗ ଆଣି ହସ୍ପିଟାଲକୁ ବଦନାମ କରିବାକୁ ଚେଷ୍ଟା କରୁଛନ୍ତି।

Share