ଠିକାଦାରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ: ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର

ମାଲକାନଗିରି,୧୭।୧୧(ଡି.ଏନ୍‌.ଏ.): ମାଲକାନଗିରି ଜିଲା ଠିକାଦାର ସଂଘ ପକ୍ଷରୁ ଗତ ୧୦ ତାରିଖରୁ କାର୍ଯ୍ୟବନ୍ଦ ଆନ୍ଦୋଳନ ହୋଇଛି। ଏ ନେଇ ଜିଲାର ଉନ୍ନୟନ କାର୍ଯ୍ୟ ବାଧାପ୍ରାପ୍ତ ହୋଉଛି । ରାସ୍ତାଘାଟ, ପୋଲ, ଗୃହ ନିର୍ମାଣ, କାର୍ଯ୍ୟ ଚାଲିଥିବା ବେଳେ ଠିକାଦାରଙ୍କ ଏହି ଆନ୍ଦୋଳନ ଯୋଗୁ ଏହି ସବୁ କାର୍ଯ୍ୟ ଅଗ୍ରଗତି ହୋଇ ପାରୁନାହିଁ । ଠିକାଦାରଙ୍କ ୧୦ ଦଫା ଦାବି ପୂରଣ ନେଇ ନିଖିଳ ଓଡ଼ିଶା ଠିକାଦାର ମହାସଂଘ ପକ୍ଷରୁ ସାରା ରାଜ୍ୟରେ ବିକ୍ଷୋଭ ଜାରି ରହିଥିବା ବେଳେ ଦାବି ପୂରଣ ନ ହେବା ଯାଏ କାର୍ଯ୍ୟବନ୍ଦ ରଖିବା ପାଇଁ ମାଲକାନଗିରି ଶାଖା ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଶନିବାରଠାରୁ ସମ୍ପୂର୍ଣ କାର୍ଯ୍ୟବନ୍ଦ ହୋଇଛି। ତେବେ ରବିବାର ଦାବି ପୂରଣ ନେଇ ଠିକାଦାର ସଂଘ ପକ୍ଷରୁ ବିଶାଳ ରାଲି କରାଯିବା ସହ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏହି ଦାବିପତ୍ର ଜିଲାପାଳ ମନୀଷ ଅଗ୍ରଓ୍ବାଲଙ୍କୁ ପ୍ରଦାନ କରାଯାଇଛି। ବରିଷ୍ଠ ଠିକାଦାର ପ୍ରଭାକର ପ୍ରଧାନଙ୍କ ନେତୃତ୍ୱରେ ସଭାପତି ପ୍ରଫୁଲ୍ଲ କୁମାର ପଣ୍ଡା, ଜିଲାର ବହୁ ଠିକାଦାର ଏଥିରେ ଭାଗ ନେଇଥିଲେ।