ଠିକାଦାରଙ୍କ ନିମ୍ନମାନର କାର୍ଯ୍ୟ : ୨ ମାସରେ ଭାଙ୍ଗିଲା ପାନୀୟ ଜଳ ପ୍ରକଳ୍ପ

ଫିରିଙ୍ଗିଆ, ୭ା୧-କନ୍ଧମାଳ ଜିଲା ପିରିଙ୍ଗିଆ ବ୍ଲକରେ ଆରଡବ୍ଲ୍ୟୁଏସ୍‌ଏସ୍‌ ବିଭାଗ ଅଧିନରେ ହେଉଥିବା କାର୍ଯ୍ୟ ଅତ୍ୟନ୍ତ ନିମ୍ନମାନର ହେଉଛି। ପ୍ରକଳ୍ପ ତିଆରି ହେବାର ମାସେ ନ ପୁରୁଣୁ ତାହା ଭାଙ୍ଗି ଯାଉଛି। ଲୋକଙ୍କୁ ସ୍ବଚ୍ଛ ପାନୀୟ ଜଳ ଯୋଗାଣ ପାଇଁ ସରକାର ଯେଉଁ ଅର୍ଥ ଖର୍ଚ୍ଚ କରୁଛନ୍ତି ତାହା ବାଟମାରଣା ହେଉଥିବା ଅଭିଯୋଗ ହେଉଛି। ଯେଉଁ ୫ଟିକୁ ସରକାର ପ୍ରାଧାନ୍ୟ ଦେଉଛନ୍ତି, ତାହା ଏହି ବ୍ଲକରେ କାର୍ଯ୍ୟକାରୀ ହେଉନାହିଁ। ବିଭାଗର ମନମୁଖି କାର୍ଯ୍ୟକୁ ନେଇ ଅସନ୍ତୋଷ ତେଜିବାରେ ଲାଗିଛି। ଏଭଳି ଏକ ନିମ୍ନମାନର ପ୍ରକଳ୍ପ ସଲାଗୁଡା ପଞ୍ଚାୟତ ନେଡିପଦରରେ ଦେଖିବାକୁ ମିଳିଛି। ଯେଉଁଠି ୯ ଲକ୍ଷ ଟଙ୍କାରେ ହୋଇଥିବା ଏକ ପଥର କୂଅ(ପାନୀୟ ଜଳ ପ୍ରକଳ୍ପ) ଭାଙ୍ଗି ଯାଇଛି।
ସଲାଗୁଡା ପଞ୍ଚାୟତ ନେଡିପଦର ଗ୍ରାମର ଜଳପଦର, ମୁଣ୍ଡାସାହି, ପିଡିଆପଙ୍ଗା, କୁମ୍ଭାରଖୋଲ ସାହିକୁ ପାନୀୟ ଜଳ ଯୋଗାଣ ପାଇଁ ୪୫ ଲକ୍ଷ ଟଙ୍କାର ଏକ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ୨୦୧୯ ଅଗଷ୍ଟରେ ଶେଷ ହୋଇଥିଲା। ଏହି ପ୍ରକଳ୍ପର କୂଅ ପାଇଁ ୯ ଲକ୍ଷ ଟଙ୍କା ବ୍ୟୟ ବରାଦ ହୋଇଥିଲା। କାମ ଶେଷ ହେବାର ମାତ୍ର ୨ ମାସ ପରେ ଏହା ଭାଙ୍ଗିଗଲା। ଆଜି ପର୍ଯ୍ୟନ୍ତ ତାର ମରାମତି ହୋଇନାହିଁ। ମାତ୍ର ବିଭାଗ ତାଙ୍କର ବିଲ କରି ଦେଇଛି। ଯନ୍ତ୍ରୀ କିପରି କାମ ତଦାରଖ କରୁଥିଲେ ତାହାକୁ ନେଇ ଏବେ ପ୍ରଶ୍ନ ଉଠିଛି। ସରକାରୀ ଟଙ୍କାରେ ପିଲା ଖେଳ ଚାଲିଛି ବୋଲି ଗ୍ରାମବାସୀ ଅଭିଯୋଗ କରିବା ସହ ମୋ ସରକାରରେ ଅଭିଯୋଗ କରିବେ ବୋଲି କହିଛନ୍ତି। ଅନ୍ୟପଟେ ଠିକାଦାର କୂଅ ମରାମତି ନ କରି ପାଣି ପାଇଁ ପାଇପ ବିଛାଇବା ଲାଗି ସଜବାଜ ହେଉଛନ୍ତି। ଯେଉଁ ପାଇପ ଆଣିଛନ୍ତି ତାହା ନିମ୍ନମାନର ବୋଲି ଜାଣିବାକୁ ମିଳିଛି। ଆମେ ଆଜି ପର୍ଯ୍ୟନ୍ତ ନଇ ନାଳରୁ ପାଣି ପିଉଛୁ। ପାନୀୟ ଜଳ ଯୋଗାଇବା ପାଇଁ ଠିକାଦାର ଏଠି ଗୋଟିଏ କୂଅ କରିଥିଲେ। ତାହା ଭୁଶୁଡି ଯାଇଛି। ଠିକାଦାର ଆଉ ଏଠାକୁ ଆସୁ ନାହାନ୍ତି। ପାଣି ୪ ଗ୍ରାମକୁ ଦିଆଯିବ ବୋଲି କୁହା ଯାଇଥିଲା କିନ୍ତୁ ପାଇପ ପଡିନାହିଁ। ଏପଟେ କୂଅ ଭାଙ୍ଗି ଗଲାଣି। ବିଭାଗୀୟ ଅଧିକାରୀ ଏବଂ ଠିକାଦାର ପ୍ରକଳ୍ପ ବାବଦ ଅର୍ଥ ହରିଲୁଟ କରୁଛନ୍ତି ବୋଲି ଗ୍ରାମର ଭରତ ଦିଗାଲ, ତ୍ରିନାଥ ଦିଗାଲ ପ୍ରକାଶ କରିଛନ୍ତିି। ସରପଞ୍ଚ ସୁମିତ୍ରା କହଁର କୁହନ୍ତି, ଘଟଣା ନେଇ ମୁଁ ବ୍ଲକ ଯନ୍ତ୍ରୀଙ୍କ ସହ ଫୁଲବାଣୀରେ ଆରଡବ୍ଲ୍ୟୁଏସ୍‌ଏସ୍‌ ଅଫିସ ଯାଇ ଅଭିଯୋଗ କରିଛି। ହେଲେ କାମ ଆଜି ପର୍ଯ୍ୟନ୍ତ ହୋଇନାହିଁ। ଏ ନେଇ ଆରଡବ୍ଲ୍ୟୁଏସ୍‌ଏସ୍‌ ସହକାରୀ ନିର୍ବାହୀ ଯନ୍ତ୍ରୀ ଦେବହରି ପ୍ରଧାନଙ୍କୁ ପଚାରିବାରୁ କୂଅ ମରାମତି କାର୍ଯ୍ୟ ଠିକାଦାର କରିବେ। ଲୋକଙ୍କୁ କିପରି ଜଳ ଯୋଗାଣ ହେବ ଆମେ ସେ ଉପରେ ଦୃଷ୍ଟି ଦେଉଛୁ ବୋଲି କହିଛନ୍ତି।

Share