ଠିକାଦାର ମହାସଂଘର ଆମରଣ ଅନଶନ ଆରମ୍ଭ

ଭୁବନେଶ୍ୱର, ୨୬ା୧୧(ବ୍ୟୁରୋ): ଓଡ଼ିଶା ଠିକାଦାର ମହାସଂଘ ପକ୍ଷରୁ ବିଧାନସଭା ସମ୍ମୁଖରେ ସୋମବାରଠାରୁ ଆମରଣ ଅନଶନ ଆରମ୍ଭ ହୋଇଛି। ରାଜ୍ୟର ୫ ହଜାରରୁ ଊର୍ଦ୍ଧ୍ୱ ଠିକାଦାର ବିଧାନସଭା ଘେରାଉ କରିବା ସହ ୧୦ ଦଫା ଦାବି ନେଇ ଧାରଣାରେ ବସିଛନ୍ତି। ବିଭାଗୀୟ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା ପରେ ଧାରଣା ଓ ଆମରଣ ଅନଶନ ଜାରି ରହିବ ବୋଲି ମହାସଂଘ ସଭାପତି ପ୍ରଭାତ ଦାସ କହିଛନ୍ତି। ପ୍ରଭାତ କହିଛନ୍ତି, ରାଜ୍ୟ ସରକାର ଠିକାଦାରଙ୍କ ପ୍ରତି ବୈମାତୃକ ମନୋଭାବ ରଖୁଛନ୍ତି। ସରକାରଙ୍କ ଅଧୀନରେ କାର୍ଯ୍ୟରତ କର୍ମଚାରୀଙ୍କ ବେତନ ଓ ଭତ୍ତାରେ ୫ବର୍ଷରେ ୮୦ ପ୍ରତିଶତ ବଢ଼ିଥିଲେ ମଧ୍ୟ ଠିକାଦାର ବାଦ ପଡ଼ିଛନ୍ତି। ନିର୍ଦ୍ଧାରିତ ମୂଲ୍ୟଠାରୁ ୧୦ ପ୍ରତିଶତ କମ୍‌ରେ କାମ କରିବାକୁ ନିର୍ଦ୍ଦେଶ ଦେଉଛନ୍ତି। ଏହା ଠିକାଦାର ଓ ସେମାନଙ୍କ ଅଧୀନରେ କାର୍ଯ୍ୟରତ ଦିନ ମଜୁରିଆଙ୍କ ପେଟକୁ ଲାତ ମାରିବା ସଦୃଶ ହୋଇଛି ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ, ମହାସଂଘର ଏକ ପ୍ରତିନିଧି ଦଳ ସନ୍ଧ୍ୟାରେ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଭେଟି ଦାବି ନେଇ ଆଲୋଚନା କରିଥିଲେ। କେବଳ ୧୦ ନମ୍ବର ଦାବିକୁ ଦିନେ କିମ୍ବା ଦୁଇଦିନ ମଧ୍ୟରେ ପୂରଣ କରିବାକୁ ପ୍ରତିଶ୍ରୁତି ମିଳିଥିବାବେଳେ ଅନ୍ୟ ଦାବିଗୁଡ଼ିକ ଉପରେ ଏକ କମିଟି ବସାଯାଇ ଆଲୋଚନା କରାଯିବ ବୋଲି କୁହାଯିବା ପରେ ଆନ୍ଦୋଳନ ଜାରି ରଖାଯାଇଥିବା ଜଣାପଡିଛି।

Share