Categories: ବାଣିଜ୍ୟ

ଠିକ୍‌ ନିବେଶ ଏବେ ଚ୍ୟାଲେଞ୍ଜିଂ ହୋଇଛି

ଭୁବନେଶ୍ୱର, ୧୧-୯ (ବ୍ୟୁରୋ): ବର୍ତ୍ତମାନର ଡିଜିଟାଲ ସମୟରେ ଲୋକଙ୍କ ଆବଶ୍ୟକତା ଭିତ୍ତିରେ ସବୁ କାମ ଅନଲାଇନରେ କରାଯିବା ଆବଶ୍ୟକ। ଅପରପକ୍ଷରେ ଦେଶର ଅଭିବୃଦ୍ଧି ନିମନ୍ତେ ବିନିଯୋଗ କରିବା ମଧ୍ୟ ଜରୁରୀ। ବିନିଯୋଗ ନିମନ୍ତେ କ୍ରୟ ଏବଂ କ୍ରୟ ଲାଗି ବିକ୍ରୟକୁ ମଧ୍ୟ ବିଚାର କରିବାକୁ ହେବ। ଏଭଳି ସ୍ଥିତିରେ ଠିକ୍‌ ନିବେଶ କରିବା ଏବେ ଚ୍ୟାଲେଞ୍ଜିଂ ହୋଇଛି ବୋଲି କର୍ପୋରେଟ ବ୍ୟାପାର ମନ୍ତ୍ରଣାଳୟର ସଚିବ ଇଞ୍ଜେଟି ଶ୍ରୀନିବାସ କହିଛନ୍ତି।
ସ୍ଥାନୀୟ ଏକ ହୋଟେଲରେ ନିବେଶକ ଶିକ୍ଷା ଏବଂ ସୁରକ୍ଷା ପାଣ୍ଠି କର୍ତ୍ତୃପକ୍ଷ(ଆଇଇପିଏଫଏ)ଙ୍କ ଆନୁକୂଲ୍ୟରେ ଅନୁଷ୍ଠିତ ରାଜ୍ୟ ସ୍ତରୀୟ ନିବେଶକ ସଚେତନତା କାର୍ଯ୍ୟକ୍ରମରେ ଶ୍ରୀନିବାସ କହିଛନ୍ତି ଯେ, ନିବେଶ ପଦ୍ଧତିରେ ବହୁ ନିୟାମକ, ମଧ୍ୟସ୍ଥି ଏବଂ ବ୍ୟବସ୍ଥାପକ ସଂସ୍ଥାଗୁଡିକ ସଂଶ୍ଳିଷ୍ଟ। ଏହାକୁ ଧ୍ୟାନରେ ରଖି ନିବେଶକ ଶିକ୍ଷା ଏବଂ ସଚେତନତା ବୃଦ୍ଧି କରିବାକୁ ହେବ। ଏଥି ଲାଗି ଏକ ନେଟଓ୍ବର୍କ ସହ ପ୍ରଯୁକ୍ତି ବିଦ୍ୟାର ବହୁଳ ବ୍ୟବହାରକୁ ବିଚାରକୁ ନିଆଯିବା ସହ ଉକ୍ତ କ୍ଷେତ୍ରରେ ହେଉଥିବା ଠକେଇକୁ ରୋକାଯାଇ ପାରିବ ବୋଲି ଶ୍ରୀନିବାସ ମତ ରଖିଛନ୍ତି।
କାର୍ଯ୍ୟକ୍ରମରେ ରାଜ୍ୟ ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ କହିଛନ୍ତି, କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଭଲ ସମ୍ପର୍କ ରହିଲେ ଏହା ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ୱରାନ୍ବିତ କରିବ। ଗ୍ରାମୀଣ ଅର୍ଥନୀତି ବିକାଶ ଦିଗରେ ନିବେଶକ ଶିକ୍ଷା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ନିବେଶକ ନୀତି ସମ୍ପର୍କରେ ସଚେତନତା ସୃଷ୍ଟି ଲାଗି ଆଇଇପିଏଫଏର ଏଭଳି ପଦକ୍ଷେପ ବିଶେଷ ସହାୟକ ହେବ। କାର୍ଯ୍ୟକ୍ରମରେ କର୍ପୋରେଟ ବ୍ୟାପାର ମନ୍ତ୍ରଣାଳୟର ଯୁଗ୍ମ ସଚିବ ମନୋଜ ପାଣ୍ଡେ, ଆଇଇପିଏଫଏ ସଦସ୍ୟ ରାଜୀବ ଶେଖର ସାହୁ, ଆଇସିଏଆଇ ସଭାପତି ପ୍ରଫୁଲ ପି.ଛୋଜେଦ ପ୍ରମୁଖ ଯୋଗ ଦେଇଥିଲେ।

Share