ଠେଙ୍ଗା ଧରି ଗାଁ ମୁଣ୍ଡରେ ପହରା

କେନ୍ଦ୍ରାପଡା ଅଫିସ, ୨୮ା୩: କେନ୍ଦ୍ରାପଡା ଜିଲାର ବହୁ ପାଣି ପାଇପ୍‌ ମିସ୍ତ୍ରି ଦେଶବିଦେଶରେ ଅଛନ୍ତି। ଏମାନଙ୍କ ମଧ୍ୟରୁ ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ବିଦେଶରୁ ୫୦୮ ଓ ରାଜ୍ୟ ବାହାରୁ ୫୭୪୯ ଜଣ ଘରକୁ ଫେରିଛନ୍ତି। ବିଦେଶାଗତ ଏହି ଲୋକମାନେ ଗ୍ରାମରେ ବୁଲାବୁଲି କରୁଥିବା ଅଭିଯୋଗ ଆସିବା ପରେ ପଟ୍ଟାମୁଣ୍ଡାଇ ବ୍ଲକ ଗୁଣୁପୁର ଗ୍ରାମରେ ଅଭିନବ ଢ଼ଙ୍ଗରେ ତାଲାବନ୍ଦକୁ ସମର୍ଥନ ଦେଇଛନ୍ତି। ଗାଁ ଲୋକେ ଗ୍ରାମର ପ୍ରବେଶ ପଥରେ ବାଉଁଶର ଆଡା ଦେଇଛନ୍ତି। କେତେକ ଯୁବକ ମୁହଁରେ ଗାମୁଛା ବାନ୍ଧି ହାତରେ ଠେଙ୍ଗା ଧରି ପହରା ଦେଉଛନ୍ତି। ଆମ ଗାଁକୁ କରୋନା ମନା ବୋଲି ପ୍ଲାକାର୍ଡ ଲଗାଇ ସଚେତନତା କରୁଛନ୍ତି। ସୂଚନାଯୋଗ୍ୟ ଯେ, କରୋନା ଭୂତାଣୁ ସଂକ୍ରମଣରୁ ରକ୍ଷା ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ଘରେ ରହିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।
ଆଳୁ ଗୋଦାମ ଉପରେ ଚଢ଼ାଉ
କେନ୍ଦ୍ରାପଡା ଜିଲାରେ ଅତ୍ୟାବଶ୍ୟକ ସାମଗ୍ରୀ ବ୍ୟବସାୟ ବ୍ୟତୀତ ଅନ୍ୟ କୌଣସି ବ୍ୟବସାୟିକ ପ୍ରତିଷ୍ଠାନ ଖୋଲାନାହିଁ। ତେବେ ଏହାର ସୁଯୋଗ ନେଉଛନ୍ତି କିଛି ଅସାଧୁ ବ୍ୟବସାୟୀ। ସେମାନେ ଅତ୍ୟାବଶ୍ୟକ ସାମଗ୍ରୀକୁ ଉଚ୍ଚା ମୂଲ୍ୟରେ ବିକ୍ରୟ କରିବା ସହ ମହଜୁଦ ରଖୁଛନ୍ତି। ଏପରି ଅଭିଯୋଗ ଆସିବା ପରେ ଜିଲା ପ୍ରଶାସନ ଶୁକ୍ରବାର ପୂର୍ବାହ୍ନରେ ସହରର ପୁରୁଣା ବସ୍‌ଷ୍ଟାଣ୍ଡ ନିକଟ ଏକ ଆଳୁ ଗୋଦାମ ଉପରେ ଚଢ଼ାଉ କରିଥିଲେ। ଉପଜିଲାପାଳ ଜ୍ୟୋତିଶଙ୍କର ମହାପାତ୍ରଙ୍କ ନିର୍ଦ୍ଦେଶରେ ଜଣେ ବ୍ୟବସାୟୀଙ୍କୁ ଟାଉନ ପୋଲିସ ଉଠାଇନେଇଥିଲା। ପରେ ଉଚ୍ଚା ମୂଲ୍ୟରେ ସାମଗ୍ରୀ ନ ବିକିବା ପାଇଁ ତାଗିଦ କରି ଛାଡି ଦେଇଥିବା ଜିଲା ଯୋଗାଣ ଅଧିକାରୀ ରଜନୀକାନ୍ତ ଦାସ ସୂଚନା ଦେଇଛନ୍ତି।

Share