ଠେଲାପେଲା କରିବା ଯୋଗୁ ମହିଳାଙ୍କ ଗର୍ଭପାତ ହୋଇଥିବା ଅଭିଯୋଗ: ସୁନ୍ଦରଗଡ଼ ଏସ୍‌ପିଙ୍କ ନାଁରେ ମାମଲା

ସୁନ୍ଦରଗଡ଼, ୧୮।୮ (ଡି.ଏନ୍‌.ଏ): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅନ୍ତର୍ଗତ କନିକା ଗ୍ରାମରେ ଜୁଲାଇ ୪ରେ ଏକ ଦୁର୍ଘଟଣାକୁ କେନ୍ଦ୍ରକରି ଗ୍ରାମବାସୀ ଓ ପୋଲିସ ମଧ୍ୟରେ ଆରମ୍ଭ ହୋଇଥିବା ବିବାଦ ଥମିବାର ନାଁ ଧରୁନାହିଁ। ପୋଲିସ ସେତେବେଳେ ଫାଣ୍ଡି ଭଙ୍ଗାରୁଜା ଘଟଣାରେ ୧୪ଜଣ ଗ୍ରାମବାସୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲାବେଳେ ବର୍ତ୍ତମାନ ୨ଅଭିଯୁକ୍ତଙ୍କ ପରିବାର ପକ୍ଷରୁ ପୋଲିସର ମାତ୍ରାଧିକ କାର୍ଯ୍ୟକୁ ନେଇ କୋର୍ଟରେ ଅଭିଯୋଗ କରାଯାଇଛି। କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ସୁନ୍ଦରଗଡ ଏସ୍‌ପି ସୌମ୍ୟା ମିଶ୍ରାଙ୍କ ବିରୋଧରେ ହେମଗିର ଥାନାରେ ୨ଟି ମାମଲା ରୁଜୁ ହୋଇଛି।

କନିକାର ଜଣେ ବରିଷ୍ଠ ନାଗରିକ ଦିଲୀପ ପଟ୍ଟନାୟକ ଗତ ଜୁଲାଇ ୧୧ରେ ସୁନ୍ଦରଗଡ ଏସ୍‌ଡିଜେଏମ୍‌ କୋର୍ଟରେ ଏସ୍‌ପି ମିଶ୍ରାଙ୍କ ବିରୋଧରେ ଅଭିଯୋଗ କରିଥିଲେ। ଜୁଲାଇ ୨୫ରେ ହେମଗିର ଥାନାରେ ଏସ୍‌ପିଙ୍କ ବିରୋଧରେ ପ୍ରଥମ ମାମଲା ରୁଜୁ ହୋଇଥିଲା। ଏହା ପରେ ଅନ୍ୟ ଜଣେ ମହିଳା ପ୍ରିୟା ଦେ ଅଗଷ୍ଟ ୫ରେ ଏସ୍‌ପିଙ୍କ ବିରୋଧରେ ଏସ୍‌ଡିଜେଏମ୍‌ କୋର୍ଟରେ ଅଭିଯୋଗ କରିଥିଲେ। ଅଭିଯୋଗ ଅନୁଯାୟୀ ଗତ ଜୁଲାଇ ୪ ରାତିରେ ସ୍ବାମୀ ଉତ୍ତମ ଦେ ଫାର୍ମ ହାଉସରେ ଶୋଇଥିବା ବେଳେ ଏସ୍‌ପି ତାଙ୍କ ଘର ଭିତରେ ପଶି ଠେଲାପେଲା କରି ଗାଳିଗୁଲଜ କରିଥିଲେ। ଫଳରେ ମହିଳାଙ୍କ ଗର୍ଭପାତ ହୋଇଥିବା ସେ ଅଭିଯୋଗରେ ଦର୍ଶାଇଛନ୍ତି। ଏସ୍‌ପିଙ୍କ ବିରୋଧରେ ହୋଇଥିବା ଅଭିଯୋଗକୁ ଗ୍ରହଣ କରି କୋର୍ଟ ହେମଗିର ପୋଲିସକୁ ମାମଲା ରୁଜୁ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏନେଇ ହେମଗିର ଥାନାରେ ଏସ୍‌ପିଙ୍କ ବିରୋଧରେ ନଂ.୭୪ ରେ ଏକ ମାମଲା ରୁଜୁ ହୋଇଛି। ଅପରପକ୍ଷେ ପୋଲିସର ମାତ୍ରାଧିକ କାର୍ଯ୍ୟକଳାପକୁ ଏସ୍‌ପି ମିଶ୍ରା ଦୃଢ ଭାବେ ଖଣ୍ଡନ କରିବା ସହ ଆଇନ ଅନୁଯାୟୀ ଅଭିଯୁକ୍ତଙ୍କ ବିରୋଧରେ କାଯର୍ର୍‌ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା ବୋଲି କହିଛନ୍ତି।

Share