ଡକାୟତି ଅଭିଯୋଗରେ ୪ ଗିରଫ

ଦଶପଲ୍ଲା,୮।୧୧(ଡି.ଏନ.ଏ.): ଦଶପଲ୍ଲା ସହ ନୟାଗଡ଼ ଜିଲାର ବିଭିନ୍ନ ସ୍ଥାନରୁ ଡକାୟତି ଅଭିଯୋଗରେ ସମ୍ପୃକ୍ତ ଥିବା ୩ଜଣ ଏବଂ ଚୋରି ସାମଗ୍ରୀ ରଖିବା ଅଭିଯୋଗରେ ଜଣେ ଏପରି ମୋଟ ୪ ଅଭିଯୁକ୍ତଙ୍କୁ ଦଶପଲ୍ଲା ପୋଲିସ ଶୁକ୍ରବାର ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଦଶପଲ୍ଲା ମୋଚିସାହିର ବାବୁରାମ ଦୋରା (୩୦), ହରିଡ଼ାବାରୀ ଗ୍ରାମର ସୁଦୀପ୍ତ ସାଥୁଆ (୨୩), ନାହାକପଡ଼ା ଗ୍ରାମର କାଳିଆ ବେହେରା (୨୫) ଏବଂ ଚୋରି ସାମଗ୍ରୀ ରଖିଥିବା ଦଶପଲ୍ଲା ସାତପାଟଣା ରୋଡ୍‌ର ଅନିଲ କୁମାର ଚିନାରା ଓରଫ ମୁନା।
ଦଶପଲ୍ଲା ଥାନା ପରିସରରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଆଇଆଇସି ବିଶ୍ୱଜିତ ରାଉତ ଏ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ଗତ ୫ା୬ା୧୯ରେ ଶିକ୍ଷକ କୁଶ ମହାକୁଡ଼ଙ୍କ ଏକ ବାଇକ୍‌ ରାସ୍ତାରେ ଚୋରି ହୋଇଥିଲା। ସେହିପରି ଦଶପଲ୍ଲା ବ୍ଲକରେ କାର୍ଯ୍ୟରତ ଏପିଓ ଇତିଶ୍ରୀ ଦାଶଙ୍କ ଘରୁ ତା୨୮ା୯ରେ ସମସ୍ତ ସାମଗ୍ରୀ ଚୋରି ହୋଇଥିଲା। ଦୁଇଟି ଚୋରି ଅଭିଯୋଗ ପୋଲିସ ପାଇଁ ଚ୍ୟାଲେଞ୍ଜ ହୋଇଥିଲା। ଚୋରମାନଙ୍କୁ ଧରିବା ପାଇଁ ପୋଲିସ ପକ୍ଷରୁ ବିଭିନ୍ନ ଅଞ୍ଚଳରେ ଚଢ଼ାଉ କରାଯାଇଥିଲା। ଏଥିସହ ସମ୍ପୃକ୍ତ ଚୋରମାନେ ଶାଳିଆଗୋଛା ଠାରୁ ଜଣେ ଗାଡି ଡ୍ରାଇଭରଙ୍କୁ ମାଡ଼ ମାରି ୧୦ ହଜାର ଟଙ୍କା ଲୁଟ୍‌, ଏକ ବାଇକ୍‌ ଚାଳକଙ୍କୁ ମାଡ଼ମାରି ବାଇକ୍‌ ଲୁଟ୍‌ କରିନେବା ପ୍ରଭୃତିରେ ସମ୍ପୃକ୍ତ ଥିବା ଜଣାଯାଇଛି। ବାବୁରାମ ଚୋରି କରି ଭୁବନେଶ୍ୱର ପଳାଇବା ପରେ ତାଙ୍କୁ ଭୁବନେଶ୍ୱର ଠାରୁ ଗିରଫ କରାଯାଇଥିଲା। ସେହିପରି ସୁଦୀପ୍ତଙ୍କୁ ତାମିଲନାଡୁରୁ ଓ କାଳିଆଙ୍କୁ ହରିଓମ୍‌ ପାହାଡ଼ ଠାରୁ ଗିରଫ କରାଯାଇଥିଲା।
ସେହିପରି ଅନିଲ ଓରଫ ମୁନାଙ୍କୁ ଦୁର୍ଗାବଜାରସ୍ଥିତ ବାସଭବନରୁ ଗିରଫ କରାଯାଇଥିଲା। ଅଭିଯୁକ୍ତମାନଙ୍କଠାରୁ ଦୁଇଟି ବାଇକ, ୧ଟି ହାର, ଲାପଟପ୍‌, କ୍ୟାମେରା ସମେତ ବିଭିନ୍ନ ସାମଗ୍ରୀ ଜବତ କରାଯାଇଛି। ଅଭିଯୁକ୍ତମାନେ ବିଭିନ୍ନ ଅଞ୍ଚଳରେ ଚୋରି ସହ ସମ୍ପୃକ୍ତ ଥିବା ପୋଲିସ ପ୍ରକାଶ କରିଛି। ଖବରଦାତା ସମ୍ମିଳନୀରେ ଆଇଆଇସି, ସେକେଣ୍ଡ ଅଫିସର ସୁବାସ ଚନ୍ଦ୍ର ଚମ୍ପତ୍ତି, ଚକ୍ରଧର ସିଂ ଏବଂ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ। ଗିରଫ ଅଭିଯୁକ୍ତମାନଙ୍କୁ ଶୁକ୍ରବାର କୋର୍ଟ ଚାଲାଣ କରାଯାଇଛି।

Share