ଡକାୟତି ଉଦ୍ୟମ ପଣ୍ଡ : ଅଟକ ୨ ଡକାୟତ ଜେଲ ଗଲେ

ରଣପୁର,୧୪ା୧୦(ସ୍ବ.ପ୍ର.): ନୟାଗଡ଼ ଜିଲା ରଣପୁର ଥାନାରେ ଅଟକ ଥିବା ୨ ଡକାୟତ ଡମସାହିର ଯଶୋଦା ପ୍ରଧାନ (୩୮) ଓ ସୁବ୍ରତ ନାୟକ (୪୫)ଙ୍କୁ ପୋଲିସ ଗିରଫ କରି ରବିବାର କୋର୍ଟ ଚାଲାଣ କରଥିଲା। ଜାମିନ ନାମଞ୍ଜୁର ପରେ ଉଭୟଙ୍କୁ ରଣପୁର ସବ୍‌ଜେଲକୁ ପଠାଇ ଦିଆଯାଇଛ। ଥାନା ଆଇଆଇସି ରଶ୍ମିରଞ୍ଜନ ଦାଶ, ଏସ୍‌ଆଇ ପ୍ରୀତି ପ୍ରକାଶ ମହାନ୍ତି ରବିବାର ଏକ ଖବରଦାତା ସମ୍ମିଳନୀ କରି କହିଥିଲେ, ନୟାଗଡ଼ ଜିଲା ଶରଣକୁଳ ଥାନା ମଗରବନ୍ଧ ପଞ୍ଚାୟତ ଫାସିପଲ୍ଲୀ ନୂଆଗଁାରେ ଯଶୋଦାଙ୍କ ଘର। ତେବେ ସେ ରଣପୁର ଥାନା ଡମସାହିରେ ରହୁଥିଲେ। ରଣପୁର ସୁନା ଦୋକାନ ଲୁଟ୍‌ ଘଟଣାରେ ଯଶୋଦା ଜେଲରେ ଥିଲେ। କିଛିଦିନ ହେଲା ସେ ଜାମିନରେ ଆସି ପୁଣି ଡକାୟତି ଯୋଜନା କରୁଥିଲେ। ଅସୁରକୁମାରୀ ଜଙ୍ଗଲରେ ୫ଜଣ ଡକାୟତ ଡକାୟତି ପାଇଁ ପ୍ରସ୍ତୁତ ହେଉଥିବାବେଳେ ପୋଲିସ ଶୁକ୍ରବାର ରାତିରେ ଚଢ଼ାଉ କରି ଏହି ଯୋଜନା ପଣ୍ଡ କରିଥିଲା । ଘଟଣାସ୍ଥଳରୁ ଯଶୋଦା ଓ ସୁବ୍ରତଙ୍କୁ ନିଜ ହେପାଜତକୁ ନେଇଥିବାବେଳେ ଅନ୍ୟ ୩ଜଣ ଫେରାର ହୋଇଯାଇଥିଲେ। ଉଭୟଙ୍କଠାରୁ ବନ୍ଧୁକ, ବୁଲେଟ ଚେନ, ଖଣ୍ଡା, ଓଡି୦୨ଏଏଚ୍‌-୯୮୯୧ନଂ. ବାଇକ୍‌, ନମ୍ବରବିହୀନ କାର ଜବତ ହୋଇଛି। ଯଶୋଦାଙ୍କ ନଁାରେ ଗଞ୍ଜାମ, ନୟାଗଡ, ଖୋର୍ଦ୍ଧା, ପୁରୀର ବିଭିନ୍ନ ଥାନାରେ ୫୦ରୁ ଊର୍ଦ୍ଧ୍ୱ ମାମଲା ରହିଛି । ପୋଲିସ ୩୯୯, ୪୦୨, ଆର/ଡବ୍ଲୁ ୨୫ (୧ବି) (କ)ଆର୍ମସ ଆକ୍ଟ ୧୯୫୯ ଦଫାରେ ମାମଲା (ନଂ. ୨୧୪/୧୯) ରୁଜୁ କରି ଘଟଣାର ତଦନ୍ତ କରୁଥିଲା।