Advertisement

ଡକାୟତି ଉଦ୍ୟମ ପଣ୍ଡ: ୭ ଡକାୟତ ଜେଲ ଗଲେ

ରଣପୁର,୨୧ା୯(ସ୍ବ.ପ୍ର.): ରଣପୁର ଥାନା ପୋଲିସ ଅସୁରକୁମାରୀ ଚଟେଇପଡାରୁ ୭ ଆନ୍ତଃଜିଲା ଡକାୟତଙ୍କୁ ଗିରଫ କରି ଶୁକ୍ରବାର କୋର୍ଟ ଚାଲାଣ କରିଥିଲା। ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ରଣପୁର ସବ୍‌ଜେଲକୁ ପଠାଇ ଦିଆଯାଇଛି। ଗିରଫ ଅଭିଯୁକ୍ତ ହେଲେ ଇଟାମାଟି ଥାନା ଲାଠିପଡାର ଦିଲୀପ ମହାରଣା(୨୨), ନାରାୟଣପାଟଣାର ମିଟୁ ସ୍ବାଇଁ (୨୫), ଲାଠିପଡାର ବଟୁ ମହାରଣା(୩୭), ରଣପୁର ଥାନା ବାମ୍ବଡାର ଏସ.କେ. ସକିମ୍‌ ଅଲ୍ଲୀ ଖଁା(୨୮), ଗୋପାଳପୁରର ବିକ୍ରମ କୁମାର ଭଞ୍ଜ(୨୬), ଆଖୁପଦରର ରାଜୁ ଦାସ(୩୮), ଦେଉଳିର କବିରାଜ ପୂଜାରୀ(୩୫)। ସେମାନଙ୍କଠାରୁ ଏକ ଭୁଜାଲି, ଦୁଇଟି ଛୁରି, ମୁଖା, କଟୁରି, ଲଙ୍କାଗୁଣ୍ଡ, ୨ଟି ବାଇକ୍‌ ଜବତ ହୋଇଛି। ରଣପୁର ଥାନାରେ ଶୁକ୍ରବାର ଆୟୋଜିତ ଖବରଦାତା ସମ୍ମିଳନୀରେ ଶରଣକୁଳ ଏସ୍‌ଡିପିଓ ଏସ୍‌ ସିଭିଲର ଟପୋ ଏହି ସୂଚନା ଦେଇଛନ୍ତି। ତାଙ୍କ ସୂଚନା ଅନୁସାରେ ଗୁରୁବାର ରାତିରେ ଅସୁରକୁମାରୀର ଚଟେଇପଡା ନିକଟରେ ୯ ଜଣିଆ ଡକାୟତ ଦଳ ରଣପୁର-ନୟାଗଡ଼ ପୂର୍ତ୍ତ ବିଭାଗ ରାସ୍ତାରେ ଡକାୟତି ପାଇଁ ଯୋଜନା ଚଳାଇଥିଲେ। ବିଶେଷ ସୂତ୍ରରୁ ଖବର ପାଇ ଥାନା ଆଇଆଇସି ରଶ୍ମିରଞ୍ଜନ ଦାସ, ଏସ୍‌ଆଇ ପ୍ରୀତି ପ୍ରକାଶ ମହାନ୍ତିଙ୍କ ନେତୃତ୍ୱରେ ପୋଲିସ ଚଢ଼ାଉ କରି ସେମାନଙ୍କୁ ଧରିବା ପାଇଁ ପ୍ରୟାସ କରିଥିଲେ। ୭ଜଣଙ୍କୁ କାବୁ କରିଥିବାବେଳେ ଇଟାମାଟି ଥାନା ଲାଠିପଡା ଗଁାର ଜଗବନ୍ଧୁ ମହରଣା(୨୫), ବୁଲୁ ମହାରଣା(୨୩) ଖସିଯାଇଥିଲେ। ଏସ୍‌ଆଇ ମହାନ୍ତିଙ୍କ ଅଭିଯୋଗକ୍ରମେ ପୋଲିସ ୧୯୯, ୪୦୨, ୨୫/୨୭ ଆର୍ମସ ଆକ୍ଟରେ ମାମଲା (ନଂ.୧୯୬/୧୯) ରୁଜୁ କରିଛି। ଏମାନଙ୍କ ନଁାରେ ଖୋର୍ଦ୍ଧା, ଗଞ୍ଜାମ, ପୁରୀ ଜିଲାର ବିଭିନ୍ନ ଥାନାରେ ମାମଲା ରହିଥିବା ଏସ୍‌ଡିପିଓ କହିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share