ଡକାୟତି ଉଦ୍ୟମ ବେଳେ ୬ ଗିରଫ

ଚଣ୍ଡିଖୋଲ,୨୧।୧୧ (ଡି.ଏନ.ଏ): ଯାଜପୁର ଜିଲା ଚଣ୍ଡିଖୋଲ ଛକ ନିକଟରେ ଥିବା ଏକ ଆପାର୍ଟମେଣ୍ଟଠାରେ ମଙ୍ଗଳବାର ରାତିରେ ୬ଜଣ ଯୁବକ ଡକାୟତି ଯୋଜନା କରୁଥିଲେ। ଏହି ସମୟରେ ପୋଲିସ ଘଟଣାସ୍ଥଳରେ ଚଢାଉ କରି ମଙ୍ଗଳବାର ରାତିରେ ସେମାନଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଢେଙ୍କାନାଳ ଜିଲା ନିହଲପ୍ରସାଦ ଗ୍ରାମର ସ୍ବରୂପ ସାହୁ, ବାଲିଚନ୍ଦ୍ରପୁର ଥାନା ଗୋବଣ୍ଡିଆ ଗା୍ରମର ସୁବୋଧ ନାୟକ, ସଦରଥାନା ଅଧୀନ ସାନବାଙ୍କ ସାହି ଗ୍ରାମର କେଦାରନାଥ ପଣ୍ଡା, ବଡଚଣା ଥାନା ନିଶିମଳା ଗ୍ରାମର ଦିବ୍ୟରଞ୍ଜନ ଜେନା, ବଡଚଣା ଥାନା ନୂଆସୁଙ୍ଗୁଡା ଗ୍ରାମର ରଶ୍ମିରଞ୍ଜନ ମାହାଲା, ମାହାଙ୍ଗା ଥାନା ଅଧୀନ ମୂଳବସନ୍ତ ମିର୍ଜାପୁର ଗ୍ରାମର ବିକ୍ରମ ସିଂହ। ସେମାନଙ୍କ ନିକଟରୁ ଗୋଟିଏ ବନ୍ଧୁକ, ୭ଟି ହାତ ବୋମା, ଗୋଟିଏ ଭୁଜାଲି ଏବଂ ଗୋଟିଏ ଖଣ୍ଡା ସହିତ ୩ଟି ବାଇକ ପୋଲିସ ଜବତ କରିଛି।
ପ୍ରକାଶ ଯେ, ବଡଚଣା ଥାନା ଚଣ୍ଡିଖୋଲ ନିକଟସ୍ଥ ୧୬ନମ୍ବର ଜାତୀୟ ରାଜପଥ କଡ଼ରେ ଥିବା ଏକ ଆପାର୍ଟମେଣ୍ଟ ପରିସରରେ ୬ ଜଣ ଡକାୟତ ଏକ ବଡ ଧରଣର ଡକାୟତି ପାଇଁ ଯୋଜନା କରୁଥିଲେ। ଖବର ପାଇ ଚଣ୍ଡିଖୋଲ ଫାଣ୍ଡି ଏଏସଆଇ ସଞ୍ଜୀବ କୁମାର ଥାଟୋଇ ବଡଚଣା ଥାନାଧିକାରୀ ଦୀପକ କୁମାର ଜେନାଙ୍କୁ ସୂଚନା ଦେଇଥିଲେ। ବଡଚଣା ଥାନା ପୋଲିସ ଓ ଚଣ୍ଡିଖୋଲ ଫାଣ୍ଡି ପୋଲିସର ମିଳିତ ଚଢାଉ ଫଳରେ ୬ଜଣଙ୍କୁ ଧରିବାରେ ପୋଲିସ ସଫଳ ହୋଇଥିଲା। ସେମାନଙ୍କୁ ପୋଲିସ କେସ (ନଂ ୨୪୫/୧୯)ରେ ଗିରଫ କରିବା ସହ ସେମାନଙ୍କ ନିକଟରୁ ଗୋଟିଏ ବନ୍ଧୁକ, ୭ଟି ହାତ ବୋମା, ଗୋଟିଏ ଭୁଜାଲି ଏବଂ ଗୋଟିଏ ଖଣ୍ଡା ସହିତ ୩ଟି ବାଇକ୍‌ ଜବତ କରିଥିଲା। ସେମାନଙ୍କୁ ବୁଧବାର କୋର୍ଟଚାଲାଣ କରାଯାଇଛି। ଅଭିଯୁକ୍ତ ଦିବ୍ୟରଞ୍ଜନ, ରସ୍ମିରଞ୍ଜନ ଓ ବିକ୍ରମଙ୍କ ନାମରେ ବିଭିନ୍ନ ଥାନାରେ ବହୁ ମାମଲା ରହିଥିବା ପୋଲିସ ସୂଚନା ଦେଇଛି।

Share