ଡକାୟତି ଘଟଣା ପର୍ଦ୍ଦାଫାଶ; ୬ ଗିରଫ: ଚୋରି ସାମଗ୍ରୀ ଉଦ୍ଧାର

ଦେବଗଡ଼/ବାରକୋଟ, ୧୫।୧୧ (ଡି.ଏନ.ଏ)- ଦେବଗଡ ଜିଲା ବାରକୋଟ ଥାନା ସିଂହସାଲ ଗ୍ରାମର କ୍ଷେତ୍ରବାସୀ ଦଳବେହେରାଙ୍କ ଘରୁ ୨୪ ଅକ୍ଟୋବରରେ ଚୋରି ହୋଇଥିବା ସୁନା, ରୂପା, ଟଙ୍କା ଜବତ ହୋଇଛି। ଏହା ସହିତ ୬ଜଣ ଅପରାଧି ଗିରଫ ହୋଇଥିବା ଜଣାଯାଇଛି। ଗୁରୁବାର ଏକ ଖବରଦାତା ସମ୍ମିଳନୀରେ ଦେବଗଡ ଏସ୍‌ପି ଏନେଇ ସୂଚନା ଦେଇଛନ୍ତି। ପୋଲିସ ସୂତ୍ରରୁ ପ୍ରକାଶ ଯେ, ଗତ ୨୪ ତାରିଖ ରାତି ୯ଟାରେ ସୁନ୍ଦରଗଡ ଜିଲା ଚାନ୍ଦିପୋଷ ଥାନା ଅନ୍ତର୍ଗତ ହାଟିପଡାର ସଞ୍ଜୟ ଓରଫ ବୁଚୁ ମାଝି (୩୧)ଙ୍କ ନେତୃତ୍ୱରେ ସେହି ଗ୍ରାମର ଜଗନ୍ନାଥ ମାଝି (୨୮), ଫଟିଲାଇଜର ରାଉରକେଲାର ବିକାଶ ଲୁଗୁନ (୩୦), ବାଲୁଗାଁ ଚିଲିକାର କିରଣ କୁମାର ସାହୁ (୩୩), ବଣାଇଗଡ ଦେଡଗାଁର ସନ୍ତୋଷ ପାତ୍ର (ଡ୍ରାଇଭର) ସିଂହସାଲ ଗ୍ରାମର ନନ୍ଦ ଓରାମ (୩୯) କ୍ଷେତ୍ରବାସୀଙ୍କ ଘରେ ପଶି ତାଙ୍କ ପୁଅ କୁନ୍ଦନ ଦଳବେହେରାଙ୍କ ମୁଣ୍ଡରେ ପିସ୍ତଲ ଲଗାଇ ଅପହରଣ କରି ନେବାର ଧମକ ଦେଇ ଆଲମିରା ଚାବି ମାଗିଥିଲେ । କ୍ଷେତ୍ରବାସୀଙ୍କ ସ୍ତ୍ରୀ ଯାଜ୍ଞସେନୀ ଦଳବେହେରା ଚାବି ଦେଇଥିଲେ। ଫଳରେ ସେମାନେ ୪୫ ହଜାର ଟଙ୍କା, ସୁନା, ରୂପା, ୫ଗୋଟି ମୋବାଇଲ ଫୋନ ଧରି ଏକ ବୋଲେରୋ ଗାଡି ଓଡି ୧୪ ପି- ୯୦୯୨ ଯୋଗେ ରାଉରକେଲା ପଟକୁ ପଳାଇଥିଲେ। ଗଲାବେଳେ ସମସ୍ତଙ୍କୁ ଏକ ଘରେ ପୁରାଇ ବାହାରପଟୁ ବନ୍ଦ କରି ଦେଇଥିଲେ । ଗତ ୨୫ ତାରିଖରେ କ୍ଷେତ୍ରବାସୀ ବାରକୋଟ ଥାନାରେ ଲିଖିତ ଅଭିଯୋଗ କଲାପରେ ଆଇଆଇସି ଚିତ୍ତରଞ୍ଜନ ବେହେରା ମୋବାଇଲ ଟ୍ରାକିଂ କରି ଅଭିଯୁକ୍ତ ଝାଡ଼ଖଣ୍ଡରୁ ଗିରଫ କରିଛନ୍ତି । ବୁଚୁ ମାଝୀ ନିକଟରୁ ୨୦ ହଜାର ଟଙ୍କା, ସୁନା ଚେନ, ରୂପା, ୨ଟି ମୋବାଇଲ ଫୋନ ଜବତ କରି ଅଭିଯୁକ୍ତମାନଙ୍କୁ କେସ ନମ୍ବର ୧୬୨/୧୯ ଧାରା ୩୯୫ ଆଇପିସି, ୨୫/୨୭/ ୪୫୭/୩୯୫/୧୨୦- ବି/ ୪୧୨ରେ କୋର୍ଟ ଚାଲାଣ କରାଯାଇଛି । ୩ଜଣ ଅଭିଯୁକ୍ତ ଫେରାର ଅଛନ୍ତି ।