ଡକାୟତି ଯୋଜନା ପଣ୍ଡ କଲା ବ୍ରଜରାଜନଗର ପୋଲିସ: ୩ ଅଭିଯୁକ୍ତ ଗିରଫ, ୪ ଫେରାର

ଝାରସୁଗୁଡା ଅଫିସ/ଲଖନପୁର, ୨୭।୯(ଡି.ଏନ.ଏ.)-ଝାରସୁଗୁଡା ଜିଲା ବ୍ରଜରାଜନଗର ଥାନା ଅଞ୍ଚଳରେ ଦିନକୁୁ ଦିନ ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଇବାରେ ଲାଗିଛି। ଅସାମାଜିକ ବ୍ୟକ୍ତିମାନେ ପୋଲିସକୁ ଚ୍ୟାଲେଞ୍ଜ କରି ଅଞ୍ଚଳରେ ନିଜର କାୟା ବିସ୍ତାର କରିଚାଲିଛନ୍ତି। ପୋଲିସ ମଧ୍ୟ ଏମାନଙ୍କ ଉପରେ କଡା ନଜର ରଖିଛି। ଗତ ଗୁରୁବାର ରାତିରେ କେତେକ ଅସାମାଜିକ ଯୁବକ ସଶସ୍ତ୍ର ଡକାୟତି ପାଇଁ ଯୋଜନା ଚଳାଇଥିଲେ। ବିଶେଷ ସୂତ୍ରରୁ ଖବରପାଇ ବ୍ରଜରାଜନଗର ଥାନା ପୋଲିସ ରାମପୁର ହିଲ୍‌ ଟପ୍‌ କଲୋନୀର ଏକ ପରିତ୍ୟକ୍ତ ଘର ଉପରେ ଚଢାଉ କରିଥିଲା । ଏହି ସମୟରେ ଦୁର୍ବତ୍ତମାନେ ପୋଲିସ ଉପରକୁ ଗୁଳି ଚଳାଇ ଫେରାର ହୋଇଯିବା ଉଦ୍ୟମ କରିଥିଲେ। ପୋଲିସ ୭ ଦୁର୍ବୃତ୍ତଙ୍କ ମଧ୍ୟରୁ ୩ଜଣଙ୍କୁ ଗିରଫ କରିବା ପାଇଁ ସକ୍ଷମ ହୋଇଥିବା ବେଳେ ଘଟଣାସ୍ଥଳରୁ ୪ଜଣ ଫେରାର ହୋଇଯାଇଥିଲେ। ଗିରଫ ଅଭିଯୁକ୍ତମାନେ ହେଲେ ରାମପୁର ଅଞ୍ଚଳର ଗୁଡୁ ସିଂହ, ଶ୍ୟାମ ସହିସ ଓ ପୂର୍ଣ୍ଣ ସାଗର। ଏମାନଙ୍କ ନିକଟରୁ ପୋଲିସ ଏକ ପିସ୍ତଲ, ଗୁଳି ଆଦି ବିଭିନ୍ନ ମାରଣାସ୍ତ୍ର ଜବତ କରିଛି। ଏନେଇ ପୋଲିସ ବ୍ରଜରାଜନଗର ଥାନାରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ଖୁବ୍‌ଶୀଘ୍ର ଫେରାର ଅଭିଯୁକ୍ତଙ୍କୁ ପୋଲିସ ଧରିବା ପାଇଁ ପ୍ରୟାସ ଚଳାଇଛି। ତେବେ ଧରାପଡିଥିବା ଅଭିଯୁକ୍ତମାନେ ଦୁର୍ଦ୍ଦାନ୍ତ ଅପରାଧୀ ସୋନୁ ଘୋଷଙ୍କ ସହଯୋଗୀ ବୋଲି ପୋଲିସ ଜାଣିବାକୁ ପାଇଛି। ପୋଲିସର ତପ୍ତରତା ପାଇଁ ବଡଧରଣର ଅଘଟଣକୁ ଏଡାଇ ଦିଆଯାଇପାରିଛି ବୋଲି ଚର୍ଚ୍ଚା ହେଉଛି।

ସୂଚନାଯୋଗ୍ୟ, ଦୁଇ ସପ୍ତାହତଳେ ପୋଲିସ ଦୁର୍ଦ୍ଦାନ୍ତ ଅପରାଧୀ ସୋନୁ ଘୋଷଙ୍କ ଆଉ ଜଣେ ସହଯୋଗୀ ବିନୋଦ ପ୍ରସାଦଙ୍କୁ ଏନ୍‌କାଉଣ୍ଟର କରି ଧରିଥିଲା । ଏବେ ଅପରାଧୀ ଗୋଷ୍ଠୀଙ୍କ ଉପରେ ପୋଲିସ କଡା ନଜର ରଖିଛି । ଏନେଇ ଝାରସୁଗୁଡା ଏସ୍‌ପି ଅଶ୍ବନୀ କୁମାର ମହାନ୍ତି ବ୍ରଜରାଜନଗର ଥାନାରେ ଏକ ଖବରଦାତା ସମ୍ମିଳନୀ କରି ଘଟଣା ସମ୍ପର୍କରେ ଗଣମାଧ୍ୟମ ସମ୍ମୁଖରେ ସବିଶେଷ ସୂଚନା ପ୍ରଦାନ କରିଛନ୍ତି ।

Share