ଡକାୟତ ଗ୍ୟାଙ୍ଗ୍‌ ଠାବ, ୩ ଗିରଫ

ଭୁବନେଶ୍ୱର,୨୬ା୧୧(ବ୍ୟୁରୋ)/ ପାତ୍ରପଡ଼ା (ଡି.ଏନ୍‌.ଏ.):  କମିଶନରେଟ ପୋଲିସ ଆଖିରୁ ନିଦ ହଜାଇ ଦେଇଥିବା ଏକ ଡକାୟତ ଗ୍ୟାଙ୍ଗ୍‌କୁ ସ୍ପେଶାଲ ସ୍କ୍ବାଡ୍‌ ଠାବ କରିଛି। ଗ୍ୟାଙ୍ଗ୍‌ର ଦୁଇ ମୁଖ୍ୟଙ୍କ ସହ ଚୋରି ସାମଗ୍ରୀ କିଣିଥିବା ଜଣେ ରିସିଭରଙ୍କୁ ପୋଲିସ ଗିରଫ କରିଛି। ଅଭିଯୁକ୍ତ ଦ୍ୱୟ ହେଲେ ପୁରୀ ଜିଲା ଅସ୍ତରଙ୍ଗର ନଣ୍ଡା ଓରଫ ନିରଞ୍ଜନ ସ୍ବାଇଁ (୪୨), ନାଲୁ ସ୍ବାଇଁ ଓ ରିସିଭର କୋଣାର୍କ ଥାନା ଅନ୍ତର୍ଗତ ବାଜପୁରର ସୁକାନ୍ତ ସାହୁ(୩୧)। ପୋଲିସ ସେମାନଙ୍କ ନିକଟରୁ ୭୦ ଗ୍ରାମର ସୁନା ଅଳଙ୍କାର, ୧୫୦ ଗ୍ରାମର ରୁପା, ଦୁଇଟି ଦୁଇଚକିଆ ଗାଡ଼ିକୁ ଜବତ କରିଛି। ତେବେ ନଣ୍ଡା ଓ ନାଲୁଙ୍କ ନାମରେ ୪୮ରୁ ଊର୍ଦ୍ଧ୍ୱ ମାମଲା ରହିଛି। ଅସ୍ତରଙ୍ଗ ଥାନା ଅଞ୍ଚଳରେ ଏକାଧିକ ମାମଲା ରହିଥିବାବେଳେ ଭୁବନେଶ୍ୱର ଖଣ୍ଡଗିରି, ଚନ୍ଦ୍ରଶେଖରପୁର, ଧଉଳି ଓ ବାଲିଅନ୍ତା ଥାନାରେ ୧୧ ମାମଲା ରହିଛି।
ମିଳିଥିବା ସୂଚନାନୁସାରେ, ନଣ୍ଡା ଓ ସହଯୋଗୀ ନାଲୁ କେତେଜଣ ସଦସ୍ୟଙ୍କୁ ନେଇ ଏକ ଗ୍ୟାଙ୍ଗ୍‌ ଗଢ଼ିଥିଲେ। ଏହି ଗ୍ୟାଙ୍ଗର ସଦସ୍ୟମାନେ ଚୋରି, ଲୁଟ୍‌ ଓ ଡକାୟତି କରନ୍ତି। ବିଶେଷକରି ଘରେ କେହି ନ ଥିବାବେଳେ ଝରକା ଓ କବାଟ ତାଡି ସୁନା ଗହଣା ଓ ଟଙ୍କା ପଇସା ନେଇ ଚମ୍ପଟ ମାରନ୍ତି। ଏହାସହ ଘର ଆଗରେ ଥିବା ବାଇକ୍‌ କିମ୍ବା କାର୍‌କୁ ମଧ୍ୟ ଚୋରି କରି ନେଇଥାନ୍ତି। ଡକାୟତି ସମୟରେ ଘରେ ଯଦି କେହି ତାଙ୍କୁ ବିରୋଧ କରନ୍ତି, ସେମାନେ ତାଙ୍କୁ ଆକ୍ରମଣ କରନ୍ତି। ଏପରି କି ଡକାୟତିବେଳେ ମହିଳା ଦେଖିଲେ ବଳାତ୍କାର କରିଥାନ୍ତି। ଇତିମଧ୍ୟରେ ଏହି ଗ୍ୟାଙ୍ଗ୍‌ ଖଣ୍ଡଗିରି କଳିଙ୍ଗନଗର ଅଞ୍ଚଳରୁ ଏକାଧିକ ଡକାୟତି କରିଥିବା ନେଇ ଥାନାରେ ଅଭିଯୋଗ ରହିଛି। ନିକଟରେ ଖଣ୍ଡଗିରି ଓ ଧଉଳି ଥାନା ଅଞ୍ଚଳରୁ ଲୁଟପାଟ କରିଥିଲେ। ଏମାନଙ୍କ ନାମରେ ଅଭିଯୋଗ ବଢିବା ପରେ ପୋଲିସ ଏହି ଗ୍ୟାଙ୍ଗ୍‌କୁ ଧରିବାକୁ ଆରମ୍ଭ କରିଥିଲା ଅପରେଶନ। ସେମାନଙ୍କ ଫୋନ୍‌ ନମ୍ବରକୁ ଟ୍ରେସ୍‌ କରିବା ପରେ ଗିରଫ କରିବାରେ ସଫଳ ହୋଇଥିଲା ପୋଲିସ। ଉଭୟଙ୍କୁ ରିମାଣ୍ଡରେ ଆଣିବା ପାଇଁ ଯୋଜନା ଚାଲିଥିବା ଜଣାପଡ଼ିଛି।

Share