ଡକାୟତ ଧରୁନି ପୋଲିସ, ଏସ୍‌ପିଙ୍କୁ ଭେଟିଲେ ଗ୍ରାମବାସୀ

ଫୁଲବାଣୀ ଅଫିସ, ୨୯ା୧-ରାଇକିଆ ଥାନା ଅନ୍ତର୍ଗତ କରଡା ଗ୍ରାମର ହନୁମାନ ମନ୍ଦିର ପୂଜକଙ୍କୁ ବନ୍ଧୁକ ଦେଖାଇ ୩୬ ହଜାର ଟଙ୍କା ଲୁଟ୍‌ ଘଟଣାରେ ପୋଲିସ ଜାଣିଶୁଣି ଡକାୟତଙ୍କୁ ଧରୁନି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ମୁଖ୍ୟ ଅଭିଯୁକ୍ତଙ୍କୁ ପୋଲିସ ଧରି ଛାଡି ଦେଇଛି। ଯେଉଁ ପୋଲିସ ଅଧିକାରୀ ଏଥିରେ ସମ୍ପୃକ୍ତ ଅଛନ୍ତି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ଓ ଡକାୟତଙ୍କୁ ଧରିବା ନିମନ୍ତେ ଗ୍ରାମବାସୀ ମଙ୍ଗଳବାର ଏସ୍‌ପିଙ୍କୁ ଭେଟଛନ୍ତି।
କରଡା ଗ୍ରାମସ୍ଥିତ ହନୁମାନ ମନ୍ଦିରରୁ ଗତ ୨୪ ତାରିଖ ରାତିରେ ଡକାୟତି ହୋଇଥିଲା। କେତେଜଣ ଦୁର୍ବୃତ୍ତ ମନ୍ଦିର ପୂଜକଙ୍କୁ ବନ୍ଧୁକ ଦେଖାଇ ୩୬ ହଜାର ଟଙ୍କା ଲୁଟି ନେଇଥିଲେ। ଏ ନେଇ ରାଇକିଆ ଥାନାରେ ଅଭିଯୋଗ ହୋଇଥିଲା ା ଏହି ଘଟଣାରେ ସ୍ଥାନୀୟ ଅଞ୍ଚଳର ଜଣେ ଯୁବକ ସାମିଲ ଥିବା ଗ୍ରାମବାସୀ ପୋଲିସକୁ କହିଥିଲେ ା ପୋଲିସ ସମ୍ପୃକ୍ତ ଯୁବକଙ୍କୁ ଥାନାକୁ ଆଣି ପଚରାଉଚୁରା କରି ଛାଡି ଦେଇଛି। ସମ୍ପୃକ୍ତ ଯୁବକ ଜଣକ ଜଣେ ଏଏସ୍‌ଆଇଙ୍କ ଘରେ କାମ କରୁଥିବାରୁ ପୋଲିସ ତାଙ୍କୁ ଛାଡି ଦେଇଛି ା ତୁରନ୍ତ ଘଟଣାର ତଦନ୍ତ କରି ଡକାୟତଙ୍କୁ ଗିରଫ କରିବା ସହ ଏଥିରେ ସମ୍ପୃକ୍ତ ପୋଲିସ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଗ୍ରାମର ରାମଚନ୍ଦ୍ର ସାମନ୍ତ, ମୋଚିଆ ପାତ୍ର, ପ୍ରକାଶ ଚନ୍ଦ୍ର ମହାରଣା, ନାରାୟଣ ନାୟକ, ରାମ ବେହେରା, ସୁବାସ ନାୟକ ପ୍ରମୁଖ ଦାବି କରିଛନ୍ତି। ଏ ନେଇ ରାଇକିଆ ଥାନାଧିକାରୀ ସମୀର କୁମାର ରାଉତଙ୍କୁ ପଚାରିବାରୁ ଯେଉଁମାନେ ଡକାୟତିରେ ସାମିଲ ଅଛନ୍ତି, ସେମାନଙ୍କ ବିରୋଧରେ ପ୍ରମାଣ ଖୋଜା ଚାଲିଛି ା ଖୁବଶୀଘ୍ର ସେମାନଙ୍କୁ ଗିରଫ କରାଯିବ ବୋଲି ପ୍ରକାଶ କରିଛନ୍ତି।

Share