ଡଗରପଡ଼ା ବୋମାମାଡ଼ ଘଟଣା: ଧଳସାମନ୍ତ ଭ୍ରାତାଙ୍କ ସହଯୋଗୀ ସମେତ ୩ ଗିରଫ

କଟକ ଅଫିସ, ୨୪।୮: ଡଗରପଡ଼ା ବୋମାମାଡ଼ ଘଟଣାରେ ୩ଜଣଙ୍କୁ ଗିରଫ କରିଛି ଲାଲବାଗ ଥାନା ପୋଲିସ। ଶୁକ୍ରବାର ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ ଧଳସାମନ୍ତ ଭ୍ରାତାଙ୍କ ସହଯୋଗୀ ଡଗରପଡ଼ା ଭୁତିଆସାହିର ପ୍ରକାଶ ବେହେରା ଓରଫ ହାଡ଼ିଆ (୪୫), ଗୋପାଳସାହିର ପାର୍ଥସାରଥି ଦାସ ଓରଫ ଶୁଭମ (୨୩) ଏବଂ ଶେଖ୍‌ ବଜାରର ସୁନୀଲ ବେହେରା ଓରଫ ଚନ୍ଦା (୨୮)। ବୁଧବାର ଡଗରପଡ଼ା ଭୂତିଆସାହିର ଗୋଲକ ପରିଡ଼ା (୪୦) ଓ ତାଙ୍କ ସମ୍ପର୍କୀୟ ଭାଇ ଲିକୁନା ପରିଡ଼ା(୩୫)ଙ୍କ ଘର ଉପରକୁ ୪ଟି ବୋମାମାଡ଼ ହୋଇଥିଲା। ଏ ନେଇ ଗୋଲକଙ୍କ ମା’ ସୁଲୋଚନା ଲାଲବାଗ ଥାନାରେ ଏତଲା ଦେଇଥିଲେ। ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଏହି ବୋମାମାଡ଼ ହୋଇଥିବା ଡିସିପି ଅଖିଳେଶ୍ୱର ସିଂହ କହିଛନ୍ତି।
ପୋଲିସ ସୂଚନା ଅନୁଯାୟୀ, ଗତ ବୁଧବାର ଅପରାହ୍ନ ୧ଟାରେ ହାଡ଼ିଆ ଓ ତାଙ୍କର ୨ଜଣ ସହଯୋଗୀ ସୁଲୋଚନାଙ୍କ ଘର ଉପରକୁ ୩ଟି ବୋମା ଫିଙ୍ଗି ଫେରାର ହୋଇଯାଇଥିଲେ। ଏହି ସମୟରେ ସୁଲୋଚନା ତାଙ୍କ ଘରର ଦ୍ୱାରରେ ଠିଆ ହୋଇଥିଲେ। ୨ଟି ବୋମା ଫୁଟିଥିବାବେଳେ ପୋଲିସ ଗୋଟିଏ ଅଫୁଟା ବୋମା ଜବତ କରି ନିଷ୍କ୍ରିୟ କରିଥିଲା। ଏ ନେଇ ଲାଲବାଗ ଥାନାରେ ଆଇପିସି ୨୯୪, ୩୦୭, ୫୦୬, ୩୪ ଏବଂ ବିସ୍ଫୋରକ ସାମଗ୍ରୀ ଆଇନ ୧୮୮୩ର ଧାରା ୩ ଓ ୪ରେ ଏକ ମାମଲା (ନଂ. ୧୭୫/୨୦୧୯) ରୁଜୁ ହୋଇଥିଲା। ପୋଲିସ ଏହାର ତଦନ୍ତ କରି ଘଟଣାସ୍ଥଳରୁ ଅଫୁଟା ବୋମା ସହ ଫୁଟିଥିବା ବୋମାର ଟୁକୁଡା, ଗୋଟିଏ ଭଙ୍ଗା ସିମେଣ୍ଟ ଲଗା ଇଟା ଜବତ କରିଥିଲା। ପୋଲିସ ଗୁରୁବାର ରାତିରେ ଉପରୋକ୍ତ ୩ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ସେମାନଙ୍କଠାରୁ ୨ଟି ମୋବାଇଲ ଫୋନ ଜବତ କରିଛି। କୁଖ୍ୟାତ ଅପରାଧୀ ତଥା ଧଳସାମନ୍ତଙ୍କ ସହଯୋଗୀ ହାଡ଼ିଆ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ହୋଇଥିବାବେଳେ ତାଙ୍କ ବିରୋଧରେ ଲାଲବାଗ ଥାନାରେ ୧୪ଟି, ମର୍କତନଗରରେ ୪ଟି, ବିଡ଼ାନାସୀ, କ୍ୟାଣ୍ଟନମେଣ୍ଟ ଏବଂ ଚାଉଳିଆଗଞ୍ଜ ଥାନାରେ ଗୋଟିଏ ଲେଖାଏ ମାମଲା ରହିଛି।

Share