ଡଗରା ବେଳାଭୂମିରେ ବିଦେଶୀ ପକ୍ଷୀ

ବାଲିଆପାଳ, ୩୦ା୧୧(ଡି.ଏନ.ଏ.)-ପ୍ରତିବର୍ଷ ପରି ଚଳିତ ବର୍ଷ ପର୍ଯ୍ୟଟନ କେନ୍ଦ୍ର ଡଗରାବେଳା ଭୂମିରେ ବିଦେଶାଗତ ପକ୍ଷୀମାନଙ୍କ ସମାଗମ ହୋଇଛି । ବଗ ଓ ହଂସ ଜାତୀୟ ପକ୍ଷୀ ଚଳିତବର୍ଷ ଶୀତଋତୁ ଆରମ୍ଭରୁ ବେଳାଭୂମିରେ ଚଳପ୍ରଚଳ କରୁଥିବା ଦେଖିବାକୁ ମିଳିଛି । ସୁବର୍ଣ୍ଣରେଖା ମୁହାଣ, ଚଉମୁଖ ବେଳାଭୂମି ଓ ଡଗରା ନିକଟ ହଂସକରା ନଦୀ ମୁହାଣରେ ମଧ୍ୟ ବିଦେଶାଗତ ପକ୍ଷୀମାନଙ୍କର ସମାଗମ ହୋଇଛି। ପକ୍ଷୀଗୁଡିକୁ ଦେଖିବା ପାଇଁ ପର୍ଯ୍ୟଟକମାନେ ଖୁବ ଆଗ୍ରହ ପ୍ରକାଶ କରୁଛନ୍ତି । ପକ୍ଷୀ ଗୁଡିକ ହିମାଳୟ ଓ ସାଇବେରିଆ ଅଞ୍ଚଳରୁ ଆସୁଥିବା କୁହାଯାଇଛି । ଡଗରା ବେଳାଭୂମିରେ ଶୀତଋତୁରେ ବିଦେଶାଗତ ପକ୍ଷୀମାନେ ପ୍ରଚୁର ଖାଦ୍ୟ ପାଇବା ସାଙ୍ଗକୁ ଶୀତର ପ୍ରକୋପ କମ ରହିଥିବାରୁ ପକ୍ଷୀମାନଙ୍କୁ ସୁହାଇଛି । ଗତବର୍ଷ ଜଙ୍ଗଲ ବିଭାଗ ପକ୍ଷରୁ ପକ୍ଷୀ ଗଣନା କରାଯାଇଥିଲା । ଗଣନାରୁ୧୭ ଶହ ବଗ ଜାତୀୟ ପକ୍ଷୀ ଏହି ବେଳାଭୂମିକୁ ଆସିଥିବା ବେଳେ ୨୩ ଶହରୁ ଅଧିକ ହଂସ ଜାତୀୟ ପକ୍ଷୀ ଆସିଥିଲେ । ଚଳିତ ବର୍ଷ ଜାନୁଆରୀ ମାସରେ ଏହି ସବୁ ଜାଗାଗୁଡିକରେ ପକ୍ଷୀ ଗଣନା କରାଯିବ ବୋଲି ଡଗରା ଫରେଷ୍ଟଗାର୍ଡ ପ୍ରକାଶ ମହାନ୍ତି ସୂଚନା ଦେଇଛନ୍ତି ।