ଡଙ୍କାରୀ, ରାହାଡପୁର ଖାଦାନରେ ରାଜସ୍ବ ବିଭାଗ ଅତିରିକ୍ତ ଶାସନ ସଚିବ: ‘ବେଆଇନ ଖନନକୁ ପ୍ରଶ୍ରୟ ଦିଆଯିବ ନାହିଁ’

ଧର୍ମଶାଳା/ଚଢ଼େଇଧରା,୫ା୧୨(ଡି.ଏନ୍‌.ଏ.): ଯାଜପୁର ଜିଲା ଧର୍ମଶାଳା ତହସିଲ ଅଧୀନସ୍ଥ ଡଙ୍କାରୀ ଓ ରାହାଡପୁର ଖାଦାନରେ ବୁଧବାର ରାଜସ୍ବ ବିଭାଗର ଅତିରିକ୍ତ ଶାସନ ସଚିବ ବିଭୂତି ଭୂଷଣ ଦାସ ପରିଦର୍ଶନ କରିଛନ୍ତି। ଏହି ଅବସରରେ ସେ ବେଆଇନ ଖନନକୁ ପ୍ରଶ୍ରୟ ଦିଆଯିବ ନାହିଁ ବୋଲି ଚେତାବନୀ ଦେଇଛନ୍ତି। ଏଥିସହ ଖୁବ୍‌ଶୀଘ୍ର ବେଆଇନ କଳାପଥର କାରବାରରେ ରୋକ ଲଗାଯିବା ସହ ଏହାକୁ ନିୟନ୍ତ୍ରଣ କରିବା ଲାଗି ସ୍ବତନ୍ତ୍ର ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି। କଳାପଥର ଚୋରାଚାଲାଣ ରୋକିବା ପାଇଁ ୫୩ନଂ ଜାତୀୟ ରାଜପଥରେ ୩ ସ୍ବତନ୍ତ୍ର ଗେଟ୍‌ କରାଯିବା ସହ ସିସି ଟିଭି ଲଗାଯିବା ପାଇଁ ସ୍ଥିର ହୋଇଥିବା ତହସିଲଦାର ସରୋଜ କୁମାର ପଣ୍ଡା ଅତିରିକ୍ତ ସଚିବଙ୍କୁ ସୂଚନା ଦେଇଥିଲେ।
ସୂଚନା ଯୋଗ୍ୟ, ଡଙ୍କାରୀ ଓ ରାହାଡପୁର ଖାଦାନରେ ବେଆଇନ କଳାପଥର ଚାଲାଣକୁ ନେଇ ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯାଇଛି। ଏହାକୁ ବେଖାତିର କରି ପଥର ମାଫିଆମାନେ ରାତି ଅଧିଆ ଚୋରା ଚାଲାଣ କରୁଛନ୍ତି। ଏ ନେଇ ଚଢ଼ାଉବେଳେ ବହୁବାର ପ୍ରଶାସନ ଓ ପଥର ମାଫିଆଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତ ସୃଷ୍ଟି ହେଉଛି। ଏ ସମ୍ପର୍କରେ ଅଭିଯୋଗ ପରେ ଅତିରକ୍ତ ସଚିବ ଦାସ ପ୍ରଥମେ ଡଙ୍କାରୀରେ ପହଞ୍ଚତ୍ ବିଭିନ୍ନ କଳାପଥର ଖାଦାନ ଓ ପରେ ରାହାଡପୁର ଅଞ୍ଚଳ ପରିଦର୍ଶନ କରି ଯାଞ୍ଚ କରିଥିଲେ। ଏହି ଗସ୍ତ ସମୟରେ ଯାଜପୁର ଉପଜିଲାପାଳ ନାରାୟଣ ଚନ୍ଦ୍ର ଧଳ, ଧର୍ମଶାଳା ତହସିଲଦାର ପଣ୍ଡା, ଅତିରିକ୍ତ ତହସିଲଦାର ଦେବୀ ପ୍ରସନ୍ନ ମହାନ୍ତି, ଧର୍ମଶାଳା ଥାନାଧିକାରୀ ସରୋଜ କୁମାର ସାହୁ, ଜେନାପୁର ଥାନାଧିକାରୀ ସୁଶାନ୍ତ କୁମାର ଦାସ, ବିଭିନ୍ନ ସର୍କଲର ରାଜସ୍ବ ନିରୀକ୍ଷକ ପ୍ରମୁଖ ସାମିଲ ହୋଇଥିଲେ।

Share