ଡଙ୍ଗାଭସା ହେଲା କାଳ: ନାଗାବଳୀ ନଦୀରେ ଭାସିଯାଇ ଛାତ୍ର ମୃତ

ରାୟଗଡ଼ା ଅଫିସ, ୧୨।୧୧: ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ମଙ୍ଗଳବାର ଡଙ୍ଗା ଭସାଇବାକୁ ଯାଇ ନଦୀରେ ବୁଡ଼ି ଜଣଙ୍କର ମୃତ୍ୟୁ ଘଟିଛି। ଏପରି ଦୁଃଖଦ ଘଟଣା ଘଟିଛି ରାୟଗଡ଼ା ଜିଲାରେ। ମୃତକ ହେଲେ ୟୁଜିଏମ୍‌ଆଇଟିର ଡିପ୍ଲୋମା ଛାତ୍ର ସୁମନ ବେହେରା। ତାଙ୍କ ଘର ମୁନିଗୁଡ଼ା ଅଞ୍ଚଳରେ ବୋଲି ଜଣାପଡ଼ିଛି।
ପ୍ରକାଶ ଯେ, ଭୋରରୁ ସୁମନ ତାଙ୍କ ୩ ସାଥୀଙ୍କ ସହ ଡଙ୍ଗା ଭସାଇବାକୁ ନାଗାବଳୀ ନଦୀକୁ ଯାଇଥିଲେ। ଡଙ୍ଗା ଭସାଇବା ବେଳେ ତାଙ୍କ ଗୋଡ଼ ଖସିଯିବାରୁ ପ୍ରଖର ସ୍ରୋତରେ ଭାସି ଯାଇଥିଲେ। ଖବର ପାଇ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିଥିଲେ। ମୃତଦେହ ବ୍ୟବଚ୍ଛେଦ ପାଇଁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି। ଏ ନେଇ ସୁମନଙ୍କ ପରିବାରଲୋକେ କଲେଜ ବିରୋଧରେ ରାୟଗଡ଼ା ଟାଉନ ଥାନାରେ ଅଭିଯୋଗ କରିଛନ୍ତି। କଲେଜ କର୍ତ୍ତୃପକ୍ଷଙ୍କ କହିବା ଅନୁଯାୟୀ, ଛାତ୍ରମାନେ ରାତି ପ୍ରାୟ ୩ଟାରେ କାହାକୁ କିଛି ନ ଜଣାଇ ହଷ୍ଟେଲ ପାଚେରି ଡେଇଁ ଡଙ୍ଗା ଭସାଇବାକୁ ଯାଇଥିଲେ।