Advertisement

ଡବ୍ଲ୍ୟୁଏଚ୍‌ଓକୁ ସହାୟତା ବନ୍ଦ କଲେ ଟ୍ରମ୍ପ୍‌

ଓ୍ବାଶିଂଟନ,୧୬ା୪(ପି.ଟି.): କୋଭିଡ୍‌ ଭୂତାଣୁ ସାରା ବିଶ୍ୱକୁ ବ୍ୟାପିଥିବାବେଳେ ଏଥିପାଇଁ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ)କୁ ଦାୟୀ କରିଛି ଆମେରିକା। ଚାଇନାରେ ଏହି ଭୂତାଣୁ ସଂକ୍ରମଣ ସମ୍ପର୍କରେ ଜାଣି ମଧ୍ୟ ଡବ୍ଲ୍ୟୁଏଚ୍‌ଓ ଏହାକୁ ଲୋକଲୋଚନକୁ ଆଣିବାରେ ବିଳମ୍ବ କରିଥିଲା। ଏହି ସଂସ୍ଥାର ଗୁରୁତର ପରିଚାଳନାଗତ ତ୍ରୁଟି ପାଇଁ କରୋନା ବିଶ୍ୱ ମହାମାରୀର ରୂପ ନେଲା ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ କହିବା ସହ ସହାୟତା ପାଣ୍ଠି ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆମେରିକା ପ୍ରତିବର୍ଷ ଡବ୍ଲ୍ୟୁଏଚ୍‌ଓକୁ ୫୦୦ ନିୟୁତ ଡଲାର ସହାୟତା ଯୋଗାଇଆସୁଥିଲା।
ଚାଇନାର ଉହାନ ସହରରେ ପ୍ରଥମେ ନଭେମ୍ବର ମାସରେ କରୋନା ଭୂତାଣୁ ସଂକ୍ରମଣ ଆରମ୍ଭ ହୋଇଥିଲା। ଡବ୍ଲ୍ୟୁଏଚ୍‌ଓ ଚାଇନା ପକ୍ଷ ନେଇ ସଂକ୍ରମଣ ସମ୍ପର୍କରେ ଜାନୁୟାରୀରେ ଘୋଷଣା କରିଥିଲା ବୋଲି ଟ୍ରମ୍ପ୍‌ ଓ ତାଙ୍କର ବରିଷ୍ଠ ଅଧିକାରୀମାନେ ଅଭିଯୋଗ କରିଆସୁଛନ୍ତି। ଏଥିପାଇଁ ବିଶ୍ୱର ସର୍ବବୃହତ ଅର୍ଥବ୍ୟବସ୍ଥା ଆମେରିକା ଏବେ ଅଚଳ ହୋଇପଡ଼ିଛି। ଏଠାରେ ୧,୧୯,୦୦୦ ଲୋକ କୋଭିଡ୍‌-୧୯ରେ ସଂକ୍ରମିତ ହୋଇଥିବାବେଳେ ୨୫,୦୦୦ରୁ ଊର୍ଦ୍ଧ୍ୱ ଲୋକଙ୍କ ଜୀବନ ଗଲାଣି।
ଡବ୍ଲ୍ୟୁଏଚ୍‌ଓକୁ ପାଣ୍ଠି ବନ୍ଦ କରିବା ଲାଗି ଟ୍ରମ୍ପ୍‌ଙ୍କ ନିଷ୍ପତ୍ତିକୁ ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରେସ୍‌ ସମାଲୋଚନା କରିଛନ୍ତି। ଏବେ ପାଣ୍ଠି ବନ୍ଦ କରିବା ସମୟ ନୁହେଁ ବୋଲି ସେ କହିଛନ୍ତି। କରୋନା ମହାମାରୀର ମୁକାବିଲା ଲାଗି ସାରା ବିଶ୍ୱ ଏକାଠି ହୋଇଥିବା ବେଳେ ଟ୍ରମ୍ପ୍‌ ଡବ୍ଲ୍ୟୁଏଚ୍‌ଓକୁ ପାଣ୍ଠି ବନ୍ଦ କରିଦେବା ଦୁର୍ଭାଗ୍ୟଜନକ ବୋଲି ବିଶ୍ୱ ନେତାମାନେ କହିଛନ୍ତି। ନିଷ୍ପତ୍ତିକୁ ନେଇ ୟୁରୋପୀୟ ସଂଘ (ଇୟୁ) ମର୍ମାହତ ବୋଲି ଏହାର ବୈଦେଶିକ ନୀତି ମୁଖ୍ୟ ଜୋସେପ୍‌ ବୋରେଲ କହିଛନ୍ତି। ସେହିପରି ଚାଇନା, ଜର୍ମାନୀ ଆଦି ଦେଶ ଟ୍ରମ୍ପ୍‌ଙ୍କ ନିଷ୍ପତ୍ତିକୁ କଡ଼ା ସମାଲୋଚନା କରିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share