Categories: ଖେଳ

ଡବ୍ଲ୍ୟୁଟିଏ ଫାଇନାଲ୍ସ: ଟାଇଟଲ ଜିତିଲେ ବାର୍ଟି

ଶେନଝେନ, ୩।୧୧- ବିଶ୍ୱର ୧ନମ୍ବର ମହିଳା ଟେନିସ ଖେଳାଳି ଅଷ୍ଟ୍ରେଲିଆର ଆସେଲେ ବାର୍ଟି ଏକ ବଡ଼ ଧରଣର ସଫଳତା ହାସଲ କରିଛନ୍ତି। ବାର୍ଟି ଏଠାରେ ଖେଳାଯାଇଥିବା ଡବ୍ଲ୍ୟୁଟିଏ ଫାଇନାଲ୍ସର ଟାଇଟଲ ଜିତିଛନ୍ତି। ସ୍ଥାନୀୟ ଶେନ୍‌ଝେନ ବେ ସ୍ପୋଟର୍‌ସ ସେଣ୍ଟରରେ ରବିବାର ଅନୁଷ୍ଠିତ ଫାଇନାଲ ମ୍ୟାଚ୍‌ରେ ସେ ଗତଥରର ଚାମ୍ପିୟନ ୟୁକ୍ରେନର ଏଲିନା ସ୍ବିତୋଲିନାଙ୍କୁ ୬-୪, ୬-୩ ସେଟରେ ହରାଇ ଚାମ୍ପିୟନ ହୋଇଛନ୍ତି। ଏଥି ସହିତ ସେ ଉଭୟ ପୁରୁଷ ଓ ମହିଳା ଟେନିସ ଇତିହାସର ରେକର୍ଡ ସର୍ବାଧିକ ଆର୍ଥିକ ପୁରସ୍କାର ହାସଲ କରିଛନ୍ତି। ବାର୍ଟି ୪.୪୨ ମିଲିୟନ ଆମେରିକୀୟ ଡଲାର ବା ୩,୪୨ ମିଲିୟନ ପାଉଣ୍ଡ ପୁରସ୍କାର ଜିତିଛନ୍ତି।
ଫାଇନାଲରେ ବିଜୟୀ ହେବା ପାଇଁ ବାର୍ଟିଙ୍କୁ ମାତ୍ର ଏକ ଘଣ୍ଟା ୨୬ ମିନିଟ ସମୟ ଆବଶ୍ୟକ ହୋଇଥିଲା। ୨୩ ବର୍ଷୀୟ ବାର୍ଟି ପୂବରୁ ସ୍ବିତୋଲିନାଙ୍କ ବିପକ୍ଷ ସବୁ ୫ଟି ଯାକ ମ୍ୟାଚ୍‌ରେ ପରାସ୍ତ ହୋଇଥିଲେ ମଧ୍ୟ ଏହି ନିର୍ଣ୍ଣାୟକ ମ୍ୟାଚ୍‌ରେ ବାଜି ମାରିଥିଲେ। ଚଳିତ ବର୍ଷ ମୋର ପ୍ରଦର୍ଶନ ଆଶାନୁରୂପ ହୋଇପାରିଛି ବୋଲି ଫ୍ରେଞ୍ଚ୍‌ ଓପନ୍‌ ଚାମ୍ପିୟନ ବାର୍ଟି କହିଛନ୍ତି। ଏହା ପୂର୍ବରୁ ସେମିଫାଇନାଲରେ ବାର୍ଟି ୪-୬, ୬-୨, ୬-୩ ସେଟରେ ଦ୍ୱିତୀୟ ସିଡ କାରୋଲିନା ପ୍ଲିସ୍କୋଭା ହରାଇ ଫାଇନାଲରେ ପ୍ରବେଶ କରିଥିଲେ। ସେହିପରି ବିଶ୍ୱର ୮ ନମ୍ବର ଖେଳାଳି ସ୍ବିତୋଲିନା ସେମିଫାଇନାଲରେ ୫-୭, ୬-୩, ୬-୪ ସେଟରେ ବେଲିଣ୍ଡା ବେନକିକ୍‌ଙ୍କୁ ହରାଇ ଫାଇନାଲକୁ ଉଠିଥିଲେ।

Share