Categories: ବାଣିଜ୍ୟ

ଡବ୍ଲ୍ୟୁସିଓ ନିର୍ଦ୍ଦେଶକ ନିର୍ବାଚିତ ହେଲେ ପ୍ରଣବ ଦାସ

ଭୁବନେଶ୍ୱର,୧-୭: ଭାରତୀୟ ରାଜସ୍ବ ସେବା(ଆଇଆର୍‌ଏସ୍‌) ଅଧିକାରୀ ପ୍ରଣବ ଦାସ ବ୍ରୁସେଲସ୍ଥିତ ବିଶ୍ୱ ସୀମା ଶୁଳ୍କ ପ୍ରତିଷ୍ଠାନ (ଡବ୍ଲ୍ୟୁସିଓ)ର ନିର୍ଦ୍ଦେଶକ ନିର୍ବାଚିତ ହୋଇଛନ୍ତି। ଜଣେ ଓଡ଼ିଆ ତଥା ପ୍ରଥମ ଭାରତୀୟ ଭାବେ ଦାସ ଏଭଳି ପଦବୀକୁ ନିର୍ବାଚିତ ହୋଇଥିବାରୁ ସେ ରାଜ୍ୟ ତଥା ଦେଶ ଲାଗି ଗୌରବ ଆଣିଛନ୍ତି। ୫ ବର୍ଷ ଲାଗି ଉକ୍ତ ପଦବୀରେ ସେ କାର୍ଯ୍ୟ କରିବେ। ଦାସ ବର୍ତ୍ତମାନ ପରୋକ୍ଷ ଟିକସର ସର୍ବୋଚ୍ଚ ନୀତି ନିର୍ଦ୍ଧାରଣକାରୀ ସଂସ୍ଥା କେନ୍ଦ୍ରୀୟ ପରୋକ୍ଷ ଟିକସ ଏବଂ ସୀମା ଶୁଳ୍କ ବୋର୍ଡ(ସିବିଆଇସି)ର ଅଧ୍ୟକ୍ଷ ଭାବେ ଅବସ୍ଥାପିତ। ଡବ୍ଲ୍ୟୁସିଓ ୧୮୩ ସଦସ୍ୟ ବିଶିଷ୍ଟ ଏକ ଅନ୍ତର୍ଜାତୀୟ ପ୍ରତିଷ୍ଠାନ। ଉକ୍ତ ପଦବୀ ଲାଗି ହୋଇଥିବା ନିର୍ବାଚନରେ ବ୍ରିଟେନର କଷ୍ଟମ ଅଧିକାରୀଙ୍କୁ ପଛରେ ପକାଇ ଦାସ ଅନୁପାଳନ ଏବଂ ଫାସିଲିଟେଶନ ନିର୍ଦ୍ଦେଶକ ନିର୍ବାଚିତ ହୋଇଥିବା ସିବିଆଇସି ପକ୍ଷରୁ ଟୁଇଟ୍‌ ଯୋଗେ ସୂଚନା ଦିଆଯାଇଛି। ଦାସ ୧୦୮ ଭୋଟ ପାଇଥିବା ବେଳେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱିଙ୍କୁ ୬୮ ଭୋଟ ମିଳିଥିଲା। ଦାସଙ୍କ ପୂର୍ବରୁ ଦେଶର ୩ କଷ୍ଟମ ଅଧିକାରୀ ଏହି ପଦବୀ ଲାଗି ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ମଧ୍ୟ ସଫଳ ହୋଇ ନ ଥିଲେ। ଚଳିତ ବର୍ଷ ଜାନୁୟାରୀରେ କେନ୍ଦ୍ର ସରକାର ତାଙ୍କୁ ସିବିଆଇସିର ଅଧ୍ୟକ୍ଷ ପଦବୀରେ ନିଯୁକ୍ତ କରିଥିଲେ। ସେ ଭୁବନେଶ୍ୱରସ୍ଥିତ ବିଜେବି କଲେଜରୁ ସ୍ନାତକ ଏବଂ ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟରୁ ଅର୍ଥନୀତିରେ ସ୍ନାତ୍ତକୋତ୍ତର ଡିଗ୍ରୀ ହାସଲ କରିଛନ୍ତି। ସିଭିଲ ଓକିଲ ସ୍ବର୍ଗତ ରମେଶ ଚନ୍ଦ୍ର ଦାସଙ୍କ ସେ ପୁତ୍ର।

Share