ଡମ୍ପରକୁ ଧକ୍କାଦେଲା ବାଇକ: ଆରୋହୀ ମୃତ

ଦାରିଙ୍ଗବାଡ଼ି,୨୨।୮(ଡି.ଏନ.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ସାରିଙ୍ଗିଇର୍ପି ଅଞ୍ଚଳରେ ବୁଧବାର ବିଳମ୍ବିତ ରାତିରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଡମ୍ପରକୁ ବାଇକ ପଛପଟୁ ଧକ୍କାଦେବାରୁ ବାଇକ ଚାଳକଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ଉକ୍ତ ଥାନା ଡବେରୀ ଗଁାର ଅଜିତ ମଲ୍ଲିକ। ସୂଚନାଯୋଗ୍ୟ, ବୁଧବାର ରାତିରେ ଅଜିତ ଏକ ଘରୋଇ ହୋଟେଲରେ କାର୍ଯ୍ୟକରି ବାଇକରେ ଘରକୁ ଫେରୁଥିବା ବେଳେ ରାସ୍ତା ଉପରେ ଠିଆ ହୋଇଥିବା ଡମ୍ପରକୁ ଧକ୍କା ଦେଇଥିଲେ। ଫଳରେ ଅଜିତ ଗୁରୁତର ଆହତ ହୋଇଥିଲେ। ରାତିରେ ଦାରିଙ୍ଗବାଡ଼ି ପୋଲିସ ପାଟ୍ରୋଲିଂ କରୁଥିବା ସମୟରେ ଏହି ଦୁର୍ଘଟଣା ଘଟିଥିବା ଦେଖି ପୋଲିସ ଅଜିତଙ୍କୁ ତୁରନ୍ତ ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ହେଲେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ତେବେ ଡମ୍ପରଟି ଖରାପ ହୋଇଥିବା ବେଳେ କୌଣସି ପାକର୍ିଂ ଲାଇଟ ଲାଗି ନ ଥିବାରୁ ଏହି ଦୁର୍ଘଟଣା ଘଟିଥିବା ଗଁାଲୋକେ କହିଛନ୍ତି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି। କୌଣସି ଆଇନଶୃଙ୍ଖଳା ପରିସ୍ଥିତି ନ ଉପୁଜିବା ପାଇଁ ସ୍ବାସ୍ଥ୍ୟକେନ୍ଦ୍ର ଓ ଦୁର୍ଘଟଣାସ୍ଥଳରେ ପୋଲିସ ଫୋର୍ସ ମୁତୟନ କରାଯାଇଛି।