ଡମ୍ପର ଧକ୍କାରେ ଜଣଙ୍କ ଜୀବନଗଲା

ବଡ଼ବିଲ, ୨୯।୪( ସ. ପ୍ର.)-କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ କଳିଙ୍ଗନଗର ଠାରେ ବ୍ରେକ ଡାଉନ ଡମ୍ପରକୁ ଏକ ଅଜଣା ଡ଼ମ୍ପର ଧକ୍କା ଦେଇଥିବା ବେଳେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ହେଲେ ବ୍ରେକ ଡାଉନ ଡମ୍ପରର ମାଲିକ ଭଦ୍ରାସାହି ଅଞ୍ଚଳର ସୁରେଶ ଧଳ। ସୂଚନା ଅନୁଯାୟୀ, ବୁଧବାର ଭୋର ୪ଟା୪୫ରେ ଭଦ୍ରାସାହି ଅଞ୍ଚଳର ଏକ ଡମ୍ପର ବ୍ରେକ ଡାଉନ ହୋଇ କଳିଙ୍ଗନଗର ଠାରେ ମରାମତି କାର୍ଯ୍ୟ ଚାଲିଥିଲା। ବ୍ରେକ ଡାଉନ ଡମ୍ପରଟି ରାସ୍ତାର ବାମ ପାର୍ଶରେ ଛିଡା ହୋଇଥିଲା। ସମ୍ମୁଖରେ ମାଲିକ ସୁରେଶ ଧଳ ଛିଡା ହୋଇ ମରାମତି କାର୍ଯ୍ୟ ତଦାରଖ କରୁଥିଲେ। ଏହି ସମୟରେ ବିପରୀତ ଦିଗରୁ ଆସୁଥିବା ଅନ୍ୟ ଏକ ଡମ୍ପର ରାସ୍ତାର ଡାହାଣ ପାର୍ଶକୁ ଯାଇ ବ୍ରେକ ଡାଉନ ଡମ୍ପରକୁ ଧକ୍କାଦେଇଥିଲା। ଫଳରେ ସୁରେଶଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ଦୁର୍ଘଟଣା ଘଟାଇ ଡମ୍ପର ନେଇ ଡ୍ରାଇଭର ଫେରାର ହୋଇଯାଇଥିବା ସ୍ଥାନୀୟ ଲୋକେ କହିଛନ୍ତି। ଭୋର ସମୟ ହୋଇଥିବାରୁ ଦୁର୍ଘଟଣା ଘଟାଇଥିବା ଡମ୍ପରର ନମ୍ବର ଜଣାପଡିନଥିଲେ ହେଁ ଖଣିଜ ବୋଝେଇ ଡମ୍ପରଟି ବଲାଣି ଆଡ଼କୁ ଯାଇଥିବା ସୂଚନା ମିଳିଛି। ଖବର ପାଇ ବଡ଼ବିଲ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି।