ଡମ୍ପର ଧକ୍କାରେ ବ୍ୟାଙ୍କ କର୍ମଚାରୀଙ୍କ ଜୀବନ ଗଲା

ଖଇରା,୨୦।୫(ଡି.ଏନ୍‌.ଏ.): ବାଲେଶ୍ବର ଜିଲା ଖଇରା ଥାନା ଅଧୀନ ବ୍ରାହ୍ମଣପୋଖରୀ ଛକ ନିକଟରେ ରବିବାର ରାତିରେ ଏକ ଡମ୍ପର ଧକ୍କାରେ ଜଣେ ବ୍ୟାଙ୍କ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ କୁପାରୀ ଷ୍ଟେଟ୍‌ ବ୍ୟାଙ୍କ ଶାଖାର କର୍ମଚାରୀ ରାଜେଶ ବେହେରା(୩୮)।
ରାଜେଶଙ୍କ ଘର ଔପଦା ବ୍ଲକ ବାଉଁଶବଣିଆ ଗ୍ରାମରେ ହୋଇଥିବା ବେଳେ ସେ ଖଇରାରେ ଘର ଭଡ଼ାନେଇ ରହୁଥିଲେ। ରବିବାର ରାତିରେ ୨ ସହଯୋଗୀଙ୍କ ସହ ଏକ ବାହାଘର ଭୋଜି ଖାଇ ଫେରୁଥିବା ବେଳେ ଏକ ଡମ୍ପର ତାଙ୍କୁ ଧକ୍କା ଦେଇଥିଲା। ଗୁରୁତର ଅବସ୍ଥାରେ ରାଜେଶଙ୍କୁ ଖଇରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଅନ୍ୟ ୨ ସହଯୋଗୀ ଆହତ ହୋଇ ଖଇରା ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି।