ଡାଇମଣ୍ଡ ପ୍ରିନ୍‌ସେସ୍‌ ଶିପ୍‌ରୁ ଉଦ୍ଧାର ପାଇଁ ମୋଦିଙ୍କ ସହାୟତା ଲୋଡିଲେ ଯୁବତୀ: ୧୩୮ ଭାରତୀୟଙ୍କୁ ସ୍ବଦେଶ ଫେରାଇ ନେବାକୁ କଲେ ଅନୁରୋଧ

ଟୋକିଓ,୧୯।୨: ଜାପାନର ଟୋକିଓରେ ଡାଇମଣ୍ଡ ପ୍ରିନ୍‌ସେସ୍‌ ଶିପ୍‌ରେ ୧୩୮ ଭାରତୀୟଙ୍କୁ କରୋନା ସଂକ୍ରମଣ ଯାଞ୍ଚ୍‌ ପାଇଁ ଅଟକ ରଖାଯାଇଛି। ଇତିମଧ୍ୟରେ ୧୪ ଦିନ ବିତି ଯାଇଛି। ସେମାନଙ୍କୁ ଭାରତ ଫେରାଇ ନେବାକୁ ଉଦ୍ୟମ ହେଉ ନ ଥିବା ଏଥିରେ ଅଟକ ଥିବା ଯାତ୍ରୀ ମୁମ୍ବାଇର ସୋନାଲୀ ଠକ୍କର ଏକ ନୂଆ ଭିଡ଼ିଓରେ ପ୍ରକାଶ କରିଛନ୍ତି। ସୋନାଲୀଙ୍କଠାରେ କରୋନା ଚିହ୍ନଟ ହୋଇ ନ ଥିଲେ ମଧ୍ୟ ଅନ୍ୟ କେତେକ ଯାତ୍ରୀଙ୍କଠାରେ ଏହାର ଚିହ୍ନଟ ହୋଇଥିବାରୁ ସଂକ୍ରମଣ ନେଇ ସୋନାଲୀ ଚିନ୍ତିତ ହୋଇପଡ଼ିଥିବା କହିଛନ୍ତି। ଭାରତୀୟ ଦୂତାବାସ ପକ୍ଷରୁ ସୋନାଲୀଙ୍କ ସହିତ ଯୋଗାଯୋଗ କରାଯାଇଥିଲା। ଭାରତ ସରକାର ଶିପ୍‌ରେ ଅଟକ ଥିବା ଯାତ୍ରୀଙ୍କୁ ସ୍ବଦେଶ ଫେରାଇ ଆଣିବା ଲାଗି ବିମାନ ପଠାଇବେ ବୋଲି ମଧ୍ୟ ସୂଚନା ଦିଆଯାଇଥିଲା। ତେବେ ଏପର୍ଯ୍ୟନ୍ତ କୌଣସି ବିମାନ ଆସି ନ ଥିବା ସୋନାଲୀ ଭିଡ଼ିଓରେ କହିଛନ୍ତି। ସୂଚନାଯୋଗ୍ୟ, ଏହି ଶିପ୍‌ରେ ୫୦ ଦେଶର ପ୍ରାୟ ୩୭୦୦ ଯାତ୍ରୀ ରହିଛନ୍ତି। ତେବେ କରୋନା ସଂକ୍ରମଣ ଭୟରେ ଶିପ୍‌କୁ ୟୋକାହାମା ବନ୍ଦରରେ ଅଲଗା କରି ରଖାଯାଇଛି। ଏଥିରେ ଥିବା ୫୪୨ ଯାତ୍ରୀଙ୍କଠାରେ କରୋନା ଭୂତାଣୁ ଚିହ୍ନଟ ହୋଇଛି। ସେମାନଙ୍କ ମଧ୍ୟରେ ୬ ଜଣ ଭାରତୀୟ ରହିଛନ୍ତି।

Share